ରାଉରକେଲା : କେ ବଳଙ୍ଗ ଥାନା ପଟାସାହି ରେଲୱେ ସାଇଡିଂରେ ବ୍ୟବସାୟୀଙ୍କ ଗାଡି ଉପରକୁ ଗୁଳି ମାଡ଼।। ୩ ଅଟକ, ୩ ଫେରାର। ୩ଟି ବାଇକ ଜବତ।
ରାଉରକେଲା : ୧୮/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ପଟାସାହି ରେଲୱେ ସାଇଡିଂ ରେ ବୁଧବାର ଦିନ ଏକ ଗୁଳିକାଣ୍ଡ ଘଟଣା ଉକ୍ତ ଅଞ୍ଚଳରେ ଅଲୋଡନ ସୃଷ୍ଟି କରିଛି। ଜଣେ ବ୍ୟବସାୟୀଙ୍କ ଉପରକୁ ଲୁଟ୍ ଉଦ୍ଦେଶ୍ୟରେ ଏହି ଗୁଳି ମାଡ କରାଯାଇଥିବା ସୂଚନା ମିଳିଛି। ମାତ୍ର ବ୍ୟବସାୟୀ ଜଣକ ସୌଭାଗ୍ୟ କ୍ରମେ ବର୍ତ୍ତି ଯାଇଛନ୍ତି। ପୋଲିସ ଏହି ଗୁଳି ମାଡ ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଅନ୍ୟ ତିନି ଜଣ ଦୃବୃତ୍ତ ଫେରାର ହୋଇ ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବିକି ସାହୁ ନାମକ ଜଣେ ବ୍ୟବସାୟୀଙ୍କ ପ୍ରତିନିଧି ନିଜ ସ୍କୋରପିଓ ଗାଡି ଯୋଗେ ଯାଉଥିବା ବେଳେ ପାଟାସାହି ରେଲୱେ ଫାଟକ ନିକଟରେ ଆଜି ପ୍ରାୟ ଦିନ ୧୧ ଟା ବେଳେ ତିନୋଟି ବାଇକ୍ ଯୋଗେ ୬ ଜଣ ଦୁର୍ବୁତ୍ତ ତାଙ୍କ ଗାଡି ଅଟକାଇବା କୁ ଚେଷ୍ଟା କରିଥିଲେ । ଏହା ଦେଖି ବିକି ଖସିଯିବାକୁ ଉଦ୍ୟମ କରି ଗାଡିକୁ ଦ୍ରୁତ ଗତିରେ ନେବାକୁ ଉଦ୍ୟମ କରିଥିଲେ। ଏହା ପରେ ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ଗୁଳିମାଡ଼ କରିବା ଆରମ୍ଭ କରି ଦେଇଥିଲେ। ଗୁଳି ତାଙ୍କ ଗାଡି ଉପରେ ବାଜିଥିବା ବେଳେ ବିକି ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତ ମାନେ ଫେରାର୍ ହୋଇ ଯାଇଥିଲେ । ବିକି ସଙ୍ଗେ ସଙ୍ଗେ କେ ବଳଙ୍ଗ ଥାନା ପୋଲିସ୍ କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁର୍ବୃତ୍ତ ଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ। ପୋଲିସ ଚାନ୍ଦିପୋଷ ଅଞ୍ଚଳରୁ ତିନି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନି ଜଣ ଦୁବୃତ୍ତ ଫେରାର୍ ହୋଇଯାଇଛନ୍ତି। ଏହି ଘଟଣାରେ ପୋଲିସ ତିନୋଟି ବାଇକ ଜବତ କରିଛନ୍ତି। ଖୁବ୍ ଶୀଘ୍ର ଅନ୍ୟ ଦୁର୍ବୃତ୍ତ ମାନଙ୍କୁ ଧରା ଯିବ ବୋଲି ପୋଲିସ କହିଛି।