ବିରମିତ୍ରପୁର : ନିଜକୁ ଆର ଟି ଓ ଅଧିକାରୀ କହି ଟଙ୍କା ଆଦାୟ କରିବା ଅଭିଯୋଗରେ ୩ ଗିରଫ।। ରାଞ୍ଚି-କୁତ୍ରା ମାର୍ଗରେ ନକଲି ଯାଞ୍ଚ କରୁଥିଲେ।
ବୀରମିତ୍ରପୁର : ୫/୯ (ସତ୍ୟାନ୍ୟୁଜ) ନିଜକୁ ପରିବହନ ବିଭାଗର ଅଧିକାରୀ ଦର୍ଶାଇ ଟ୍ରକ ଏବଂ ଅନ୍ୟ ଗାଡିରୁ ବଟି ଆଦାୟ କରୁଥିବା ଅଭିଯୋଗରେ ତିନି ଜଣ ଗିରଫ ହୋଇଛନ୍ତି। ପରିବହନ ବିଭାଗ ଅଧିକାରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ କହି ଗାଡ଼ିର କାଗଜ ପତ୍ର ଯାଞ୍ଚ କରୁଥିଲେ ଏହି ତିନି ନକଲି ଆର ଟି ଓ କର୍ମଚାରୀ। ଏହା ସହ ଧମକ ଚମକ ଦେଖାଇ ଭାରିଯାନ ଚାଳକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ଏଭଳି ଘଟଣା ଲୋକ ଲୋଚନକୁ ଆସିଛି ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ତଥା ରାଞ୍ଚି – କୁତ୍ରା ମାର୍ଗର ଝାରଖଣ୍ଡ ସୀମାନ୍ତ ଗ୍ରାମ ବୋଡାଖଣ୍ଡା ନିକଟସ୍ଥ ବ୍ରିଜ ନିକଟରେ। ଏହି ରାକେଟ ର ପର୍ଦ୍ଦାଫାଶ କରିଛି ଝାଡଖଣ୍ଡ ରାଜ୍ୟର ଟେଟେଇଟାଙ୍ଗର ପୁଲିସ। ଏହି ନକଲି ଅଧିକାରୀଙ୍କ ଆଚରଣରେ ସନ୍ଦେହ କରି ଜଣେ ଗାଡ଼ି ଚାଳକ ସନ୍ଦେହ କରିବା ସହ ଝାଡ଼ଖଣ୍ଡ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ। ପୁଲିସ ଏକ ପ୍ଲାନ ପ୍ରସ୍ତୁତ କରି ଉକ୍ତ ଅଞ୍ଚଳରେ ଚଡାଉ କରିବା ସହ ତିନି ନକଲି ଆରଟିଓ ଅଧିକାରୀଙ୍କୁ ଗିରଫ କରିଛି। ତିନି ଜଣ ଯାକ ଓଡ଼ିଶା ରାଜ୍ୟର ହୋଇଥିବା ବେଳେ ସୁନ୍ଦରଗଡ଼ ଅଞ୍ଚଳର ଜୟ ପ୍ରକାଶ ଗୁପ୍ତା, ଅନୁଗୁଳର ଟୁଟୁ ଦେହୁରି, ପ୍ରବୀଣ ପ୍ରଧାନ ବୋଲି ଜଣାପଡିଛି। ଭାରୀଯାନ ଗୁଡିକରୁ ଧମକ ଦେଇ ଟଙ୍କା ଆଦାୟ କରିଥିବା ମଧ୍ୟ ପୁଲିସ ନିକଟରେ ତିନି ଜଣ ସ୍ବୀକାର କରିଥିବା ଜଣାପଡିଛି।