ରାଉରକେଲା : ‘ସହରାଞ୍ଚଳରେ ନିରନ୍ତର ବିକାଶ ଲକ୍ଷର ଆଞ୍ଚଳିକ କରଣ’ କର୍ମଶାଳା ଅୟୋଜିତ।

0 361

ରାଉରକେଲା : ୪/୯ (ସତ୍ୟାନ୍ୟୁଜ) ସୋମବାର ସ୍ଥାନୀୟ ମହାନଗର ପାଠାଗାର ପରିସରରେ ୟୁନାଇଟେଡ୍‌ ନ୍ୟାସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଡିପି) ଏବଂ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ‘ସହରାଞ୍ଚଳରେ ନିରନ୍ତର ବିକାଶ ଲକ୍ଷ୍ୟର ଆଞ୍ଚଳିକକରଣ’ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର, ଉପ ଆୟୁକ୍ତ ସୁଧାଂଶୁ ଭୋଇ, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ପ୍ରଫେସର ଡ. ମନୋଜ ମିଶ୍ର, ଜୟମୋନ ୟୁଥୁପ୍‌ (ନୀତି ବିଶେଷଜ୍ଞ, ୟୁଏନ୍‌ଡିପି) ଓ ୟୁଏନ୍‌ଡିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର ଉପସ୍ଥିତ ଥିଲେ ।

ଗ୍ଳୋବାଲ୍‌ ଗୋଲ୍ସ ବା ନିରନ୍ତର ବିକାଶ ଲକ୍ଷ୍ୟ ଅଧୀନରେ ୨୦୩୦ ସୁଦ୍ଧା ସାରା ବିଶ୍ବରୁ ଗରିବୀ ଦୂର କରିବା, ସମସ୍ତ ଜନ ସାଧାରଣଙ୍କ ନିମନ୍ତେ ଶାନ୍ତି ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରିବା ଏବଂ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ମିଳିତ ଜାତିସଂଘ କାର୍ଯ୍ୟ ଆରମ୍ଭ କରିଦେଇଛି । ସମସ୍ତଙ୍କ ସହଯୋଗରେ ସମସ୍ତଙ୍କ ପାଇଁ କାର୍ଯ୍ୟ କରିବା ଦ୍ବାରା ଏହି ସବୁ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ମଞ୍ଚାସୀନ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ବିଶେଷକରି ସହରାଞ୍ଚଳରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ନେଇ ପ୍ରମୁଖ ଅଂଶୀଦାରଙ୍କ ସହଯୋଗକୁ ପ୍ରଭାବୀ କରିବା ଏବଂ ଏ ଦିଗରେ ଉପୁଜୁଥିବା ଆହ୍ବାନର ସମାଧାନ ନେଇ ଆଲୋଚନା ହୋଇଥିଲା ।

ଏହି କର୍ମଶାଳାରେ ୟୁନାଇଟେଡ୍‌ ନ୍ୟାସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମର ନୀତି ବିଶେଷଜ୍ଞ ଜୟମୋନ୍ ୟୁଥୁପ୍‌ ନିରନ୍ତର ବିକାଶ ଲକ୍ଷ୍ୟ (ଏସ‌ଡିଜି) ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିବା ବେଳେ ସାରା ହୋଇଫିଲ୍ଚ ଅନ୍‌ଲାଇନ୍‌ ମାଧ୍ୟମରେ ଯୋଡ଼ି ହୋଇ ସିଟି ପ୍ଳାନିଂରେ ଏସ୍‌ଡିଜି ୧୧ ଏବଂ ଏହାର ଭୂମିକା ସମ୍ପର୍କରେ ସୂଚିତ କରିଥିଲେ । ଅନ୍ୟପକ୍ଷରେ ଅନନ୍ୟା ମହାନ୍ତି ଏବଂ ବିଓ୍ବେନ୍‌ ଟମ୍‌ ରାଉରକେଲାରେ କାର୍ଯ୍ୟକାରୀ ହୋଇଥିବା ସୌରଚାଳିତ ଶୀତଳ ଭଣ୍ଡାର କିଭଳି ସ୍ଥାନୀୟ ଚାଷୀଙ୍କୁ ଅଭାବୀ ବିକ୍ରିରୁ ବର୍ତ୍ତିବାରେ ସହାୟକ ହୋଇଛି ଏବଂ ଏସ୍‌ଏଚ୍‌ଜି ମହିଳାଙ୍କୁ କିଭଳି ଜୀବିକା ଯୋଗାଇ ଦେଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ । ପୁଷ୍କଲ ଶିବମ୍‌ (ୟୁଏନ୍‌ ହାବିଟାଟ୍) ଓ ଗୋବିନ୍ଦରାଜ୍ ଜୟଚନ୍ଦ୍ରନ୍‌ (ୟୁଏନ‌ଡିପି) ମଧ୍ୟ ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ ସେମାନେ ହାସଲ କରିଥିବା ଉପଲବ୍ଧି ଏବଂ ସହରାଞ୍ଚଳ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର ଏହି କର୍ମଶାଳାରେ ମୁନିସିପାଲ କଲେଜ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଅଧ୍ୟାପକ, ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟର ଅଧିକାରୀଙ୍କ ସମେତ ରାଉରକେଲା ମହାନଗର ନିଗମର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିବା ବେଳେ ବେଳେ ୟୁନାଇଟେଡ୍‌ ନ୍ୟାସନ୍ସର ଓଡ଼ିଶା ମୁଖ୍ୟ ଆଭା ମିଶ୍ର ସଂଯୋଜନା କରିଥିଲେ ।

Leave A Reply

Your email address will not be published.