ରାଉରକେଲା : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ପ୍ରଶାନ୍ତ ସେଠୀଙ୍କ ପଦକ୍ଷେପ।। ଇସ୍ପାତ ସହରାଞ୍ଚଳ ପ୍ରଶାସକଙ୍କ ସହ ଆଲୋଚନା।
ରାଉରକେଲା : ୨୪/୮ (ସତ୍ୟାନ୍ୟୁଜ) ରଘୁନାଥପଲ୍ଲୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବସ୍ତି ଅଭିଯାନ, ଜନନୀ ସମ୍ପର୍କ ଅଭିଯାନ, ମାର୍କେଟ ଅଭିଯାନ, ବିଭିନ୍ନ ଧର୍ମାନୁଷ୍ଠାନ ଅଭିଯାନ ସହ ପଲ୍ଲୀ ଭ୍ରମଣ କାର୍ଯ୍ୟକ୍ରମ ଅହରହ ଜାରି ରଖିଛନ୍ତି। ଏହି ଅଭିଯାନ ଓ ଭ୍ରମଣ ସମୟରେ ଜନସାଧାରଣ ଙ୍କ ପାଖରୁ ପାଇଥିବା ବିଭିନ୍ନ ଅଭିଯୋଗ କୁ କେନ୍ଦ୍ର କରି ବୁଧବାର ଦିନ ରାଉରକେଲା ଇସ୍ପାତ କାରଖାନା ର ଇସ୍ପାତ ସହରାଞ୍ଚଳ ର ମୁଖ୍ୟ ପ୍ରଶାସକ ପ୍ରତାପ କୁମାର ସ୍ବାଇଁଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଏହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ବିଭିନ୍ନ ପ୍ରମୁଖ ସମସ୍ୟା ମଧ୍ୟରେ ଦକ୍ଷିଣ ରାଉରକେଲା ର କନଷ୍ଟ୍ରକସନ କଲୋନୀ ର ଅଟୋ କଲୋନୀ ଠାରୁ ସାଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ର ତୁରନ୍ତ ମରାମତି, ସେକ୍ଟର – ୧ ଗଞ୍ଜୁ ବସ୍ତି ରେ ସୋଲାର ଦ୍ୱାରା ଆସୁଥିବା ପାଣି ବ୍ୟବସ୍ଥା ଖରାପର ସମାଧାନ କରିବା ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ସହରର ଅନ୍ୟତମ ପୂରାତନ ସେକ୍ଟର-୧୮ ମାର୍କେଟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଅନେକ ବର୍ଷ ଧରି ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏହି ମାର୍କେଟର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନାହିଁ। ଆଲୋଚନା ସମୟରେ ମାର୍କେଟରେ ପାଣି ଜମିବା, ଅଳିଆ ଆବର୍ଜନା ଫିଙ୍ଗିବା ବ୍ୟବସ୍ଥା ନହେବା ଆଦି ସମ୍ପର୍କରେ ସହରସେବା ବିଭାଗର ମୁଖ୍ୟଙ୍କୁ ଅବଗତ କରାଯାଇଥିଲା। ବିଶେଷ କରି ବର୍ଷା ଦିନରେ ମାର୍କେଟର ତଳିଆ ଦୋକାନମାନଙ୍କ ସମ୍ମୁଖରୁ ବର୍ଷା ଜଳ ନିସ୍କାସନ ସମସ୍ୟା ସହିତ କାଦୁଅ ହେବା ଯୋଗୁଁ ଦୋକାନୀ ଓ ଗ୍ରାହକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୂଚନା ଦିଆଯାଇଥିଲା। ବର୍ଷା ହେଲେ ଡ୍ରେନ ସମସ୍ୟା ଥିବାରୁ ପାଣି ନିଷ୍କାସନ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ଯଦ୍ୱାରା ଅଧିକାଂଶ ଦୋକାନ ପାଣି ରେ ବୁଡି ରହୁଛି। ଏହା ସହିତ ପାର୍କିଂ ର କୌଣସି ସୁବିଧା ନଥିବାରୁ ଗାଡି ପାର୍କିଂ ପାଇଁ ଉଭୟ ଗ୍ରାହକ ଓ ଦୋକାନୀ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରଶାନ୍ତ ସେଠୀ ଙ୍କ ସହ ଉପସ୍ଥିତ ମାର୍କେଟ କମିଟି ସଦସ୍ୟ ଓ ବସ୍ତି ର ନେତୃତ୍ବ ନିବେଦନ କରିଥିଲେ। ଏହି ଆଲୋଚନା ସମୟରେ ମାର୍କେଟ କମିତିର ଭିକାରି ଚରଣ ବାରିକ,ପ୍ରକାଶ ପୋଥାଳ, ଜନୀ ରୋବଟ, ଆର କେ ପ୍ରସାଦଙ୍କ ସମେତ ରିଜୱାନ ଅଲ୍ଲୀ, ଚଞ୍ଚଳା ସାମଲ, ବନିତା ନାୟକ, ବିଶ୍ୱ ରଞ୍ଜନ ରାଉତ, ଜିତେନ୍ ମାଛଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।