ରାଇରଙ୍ଗପୁର : ବଜାରକୁ ଆସିଛି ଏକ ନୂତନ ଧରଣର ଚୁଲା।। ଧୂଆଁ ରହିତ ଏହି କାଠ ଚୁଲା ରନ୍ଧନ ଗ୍ୟାସର ବିକଳ୍ପ ହେବା ନେଇ ସୂଚନା।
ମୟୁରଭଞ୍ଜ : ୪/୮ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଏବେ ବଜାରକୁ ଆସି ଯାଇଛି ଏକ ନୂତନ ପ୍ରକାର ଚୁଲା। ଏହି ଚୁଲାରେ ଅଳ୍ପ କାଠରେ ବହୁ ଲୋକଙ୍କ ପାଇଁ ରୋଷେଇ ହୋଇ ପାରିବ। ଏବେ ଦିନକୁ ଦିନ ରନ୍ଧନ ଗ୍ୟାସ ଦର ବଢି ବଢି ଚାଲିଛି। ଗ୍ରାମାଞ୍ଚଳରେ ରହୁଥିବା ସମସ୍ତ ଲୋକ ଗ୍ୟାସ କିଣି ରୋଷେଇ କରିବା ସମ୍ଭବ ହେଉନାହିଁ। ଫଳରେ ସେମାନେ କାଠ ଚୁଲାରେ ରୋଷେଇ କରୁଛନ୍ତି। ଏବେ ମଣିଉର୍ଜା କ୍ଲାଇମେଟ୍ କନଜର୍ଭା ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏକ ନୂତନ ଧରଣର ଚୁଲା ତିଆରି କରାଯାଇଛି। ଏହି ଚୁଲାର ଉପାଦେୟତା ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ ଏକ କର୍ମଶାଳାର ଅୟୋଜନ କରାଯାଇଥିଲା। ରାଇରଙ୍ଗପୁର ବନବିଭାଗ କାର୍ଯ୍ୟାଳୟ ପରିସରରେ ଏହି କର୍ମଶାଳା ହୋଇଥିଲା। ଏଥିରେ କମ ଜାଲେଣୀ କାଠ ବ୍ୟବହାର କରି କିପରି ରୋଷେଇ କରି ହେବ ସେ ବାବଦରେ ଗ୍ରାମ ବାସୀଙ୍କୁ ବୁଝାଯାଇଥିଲା। ଏହି ଚୁଲାରୁ ଧୂଆଁ ବାହାରିବ ନାହିଁ। ପ୍ରଥମେ ଦୁର୍ଗମ ବସତି ଅଞ୍ଚଳରେ ଏହି ଚୁଲା ମାଗଣାରେ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏହି ନୂତନ ଚୁଲା ବାବଦରେ କମ୍ପାନୀ କର୍ତ୍ତୃପକ୍ଷ ଲୋକଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଉକ୍ତ ବୈଠକରେ ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକର ହିତାଧିକାରୀ ଯୋଗ ଦେଇଥିଲେ | ଏହି କର୍ମଶାଳାରେ ରାଇରଙ୍ଗପୁର ବନଖଣ୍ଡ ଏସିଏଫ୍ ନବୀନ ଚନ୍ଦ୍ର ନାୟକ,ରାଇରଙ୍ଗପୁର ବନଖଣ୍ଡ ବିଷୟଭିତ୍ତିକ ବିଶେଷଜ୍ଞ ତ୍ରିଲୋଚନ ରାୟ, ମଣିଉର୍ଜା କ୍ଲାଇମେଟ୍ କନଜର୍ଭା ପ୍ରାଇଭେଟ୍ ଲିମିଟେଡ ର ନିର୍ଦ୍ଦେଶକ ଅମନ ଜାଲାନ,ରାଇରଙ୍ଗପୁର ବନଖଣ୍ଡ ବିଷୟଭିତ୍ତିକ ବିଶେଷଜ୍ଞ ଲୋକନାଥ ସାହୁ ଓ ସମାଜ ଖବରକାଗଜ ସାମ୍ବାଦିକ ସୌରଭ ପଟ୍ଟନାୟକ ଉପସ୍ଥିତ ଥିଲେ | ମଞ୍ଚାସୀନ ଅତିଥିବୃନ୍ଦ କମ୍ପାନୀ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।