ମୟୁରଭଞ୍ଜ : ୨୭/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଭଲକି ଦେଖନ୍ତୁ ଏହି ଭିଜୁଆଲସ୍ କୁ । ହାତୀକୁ ଘଉଡାଇବାକୁ କିପରି ହାତୀ ପିଠିରେ ନିଆଁହୁଳା ମାଡ ମାରୁଛନ୍ତି ଲୋକେ। ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଜୁଆଲସ୍ କେଉଁ ସ୍ଥାନର ସଠିକ ଜଣା ପଡୁନଥିବା ବେଳେ ଏହା ମୟୁରଭଞ୍ଜ ଜିଲ୍ଲାର ବୋଲି ଅନୁମାନ କରାଯାଉଛି। ଏହି ଭିଡିଓ ଦେଖିବା ପରେ ଡିଏଫଓ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ। କିଛି ଦିନ ହେଲା କରଞ୍ଜିଆ ବନଖଣ୍ଡର ବିଭିନ୍ନ ଗ୍ରାମରେ ହାତୀପଲ୍ଲ ଆତଙ୍କ ସୃଷ୍ଟି
କରୁଛନ୍ତି। କରଞ୍ଜିଆ ବନଖଣ୍ଡ ରେ ଗତ ୨୬ ଦିନ ମଧ୍ୟରେ ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିସାରିଲେଣି ଏହି ହାତୀପଲ୍ଲ। ଯାହାକୁ ନେଇ ବର୍ତ୍ତମାନ ବନବିଭାଗ ଚିନ୍ତାରେ । ତେବେ ତାଠାରୁ ବଡ ଚିନ୍ତା ହେଉଛି ହାତୀ ଉପରେ ମଣିଷର ଅମାନୁଷିକ ଆଚରଣ। ହାତୀପଲ୍ଲକୁ ଘେରି ନରହିବା ଏବଂ ହାତୀ ଉପରେ ନିଆଁ ହୁଳା ମାଡ ନକରିବାକୁ ବନବିଭାଗ ନିବେଦନ କରିଛି।
ଗତକାଲି ବିଳମ୍ବିତ ରାତିରେ ଶୁକୃଲି ବ୍ଲକର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଥିବାର ସୂଚନା ମିଳିଛି । ଆଜି କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଶୁକୃଲି ବ୍ଲକର ପୃଥକ ପୃଥକ ସ୍ଥାନରେ ଅଛନ୍ତି ୨୨ ଟି ହାତୀ । ହାତୀପଲ୍ଲକୁ ଘଡେଇବା ପାଇଁ ଲୋକ ମାନେ ନିଆଁ ହୁଳା ଵ୍ୟଵହାର କରୁଛନ୍ତି। ଏପରିକି ଜଣେ ବ୍ୟକ୍ତି ହାତୀ ପିଠିରେ ଯୋଗେ ନିଆଁ ହୁଳା ମାଡ଼ କରୁଛି । ହାତୀ ପିଠିରେ ନିଆଁ ବାଜିବା ପରେ ହୁତୁ ହୁତୁ ହେଇ ନିଆଁ ଜଳୁଛି । ଏମିତି ଭିଡ଼ିଓ ଏବେ ଭାଇରାଲ ହେଉଛି । ଦୁଇ ଦୁଇ ଥର ହାତୀ ପିଠିରେ ଯୁବକ ଜଣକ ନିଆଁ ରେ ମାଡ଼ ଦେଉଥିବା ଦେଖିବାକୁ ମିଳୁଛି । ଅନ୍ୟ ଲୋକମାନେ ଦେଖୁଥିଲେବି କେହି ବାରଣ କରୁ ନାହାନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡା ନିୟମ ସ୍ଵତ୍ତ୍ୱେ ହାତୀକୁ ନିର୍ଯ୍ୟାତନା ଦିଆ ଯାଉଛି ଏବେ ନିଆଁ ମାଡ଼ ଖାଇଥିବା ହାତୀର ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ଜଣାପଡି ନାହିଁ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କରଞ୍ଜିଆ ଡିଏଫଓ। ଯଦି ଏହି ଘଟଣା କରଞ୍ଜିଆ ରେଞ୍ଜର ହୋଇଥିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକତା ପଡିଲେ ନିଆଁ ମାଡ଼ ମାରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।