ମୟୁରଭଞ୍ଜ : ୮୦୦ ଟଙ୍କାରେ ମା ବିକ୍ରି କରିଦେଲା ନିଜ ଜନ୍ମ କଲା ୮ ମାସ ଝିଅକୁ।। ବାପା ଥାନାର ଦ୍ୱାରସ୍ଥ ପରେ ପୋଲିସ ଦ୍ୱାରା ଶିଶୁକନ୍ୟା ଉଦ୍ଧାର।
ମୟୁରଭଞ୍ଜ : ୬/୪ (ସତ୍ୟାନ୍ୟୁଜ) ମା ଭୁଲି ଗଲା ଛୁଆର ମମତା। ମାତ୍ର ୮୦୦ ଟଙ୍କାରେ ବିକ୍ରି କରିଦେଲା ତାର ୮ ମାସର ଝିଅକୁ। ପୋଷି ନପାରିବା ଆଶଙ୍କା କରି ନିଜ ଜନ୍ମ କଲା ଛୁଆକୁ ବିକ୍ରି କରିଦେଲା ବୋଲି କହୁଛି ତାର ମା। ଏଭଳି ଏକ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲିଆ ଗ୍ରାମରୁ । ଗ୍ରାମର କାରମି ମୁର୍ମୁ ଏବଂ ମୁଷୁ ମୁର୍ମୁଙ୍କ ଔରସରୁ ପୂର୍ବରୁ ଦୁଇ କନ୍ୟା ଥିଲେ। ତୃତୀୟ ସନ୍ତାନ ଜନ୍ମ ହେବା ପରେ ବେଶ ଖୁସି ହୋଇଥିଲେ ସ୍ୱାମୀ ସ୍ତ୍ରୀ। ପରିବାର ବଢିବାରୁ ଅଧିକ ରୋଜଗାରର ଆବଶ୍ୟକତାକୁ ଅନୁଭବ କରି ଦାଦନ ଖଟିବାକୁ ବାପା ମୁଷୁ ମୁର୍ମୁ ସୁଦୂର ତାମିଲନାଡୁ ଚାଲି ଯାଇଥିଲେ।ସେଠାରୁ ଆସି ଘରେ ପହଞ୍ଚିବା ପରେ ନିଜ ୮ ମାସର କୁନି ଝିଅକୁ ଘରେ ପାଇ ନଥିଲେ। ଅନେକ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ଖୁଣ୍ଟା ଥାନା ବିପ୍ରଚରଣପୁର ଅଞ୍ଚଳର ଏକ ଦମ୍ପତିଙ୍କୁ ମାତ୍ର ୮ ଶହ ଟଙ୍କାରେ ବିକ୍ରି କରିଦେଇଛି। ଏହା ପରେ ମୁଷୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଛୁଆକୁ କିଣିଥିବା ଦମ୍ପତିଙ୍କ ନିକଟରୁ ଉଦ୍ଧାର କରିଛନ୍ତି। ଏହା ସହିତ ଏହି ବିକ୍ରିରେ ମଧ୍ୟସ୍ଥି ସାଜିଥିବା ମହିଳାଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ଖୁଣ୍ଟା ଥାନା ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି।