କପ୍ତିପଦା : ଅନ୍ଧବିଶ୍ୱାସର ପରିଣତି।। ଡାକ୍ତର ମୃତ ଘୋଷଣା କଲାପରେ ସଜା ଯାଇଥିବା ଜୁଇକୁ ନେଲେନାହିଁ ମୃତକଙ୍କୁ।। ବଞ୍ଚାଇବାକୁ ଗୁଣିଆ ର ସାହାଯ୍ୟ ନେଲେ।
ମୟୁରଭଞ୍ଜ : ୩/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ସଜଡା ସରିଥିଲା ଜୁଇ। ଆଉ କିଛି ସମୟ ପରେ ଜୁଇରେ ଶୋଇଥାନ୍ତା ମୃତଦେହ। ହେଲେ କେତେଜଣ କହିଲେ , ଘର ଲୋକଙ୍କ ହାତରୁ ପାଣି ପିଇଲା ମୃତକ। ଆଉ ମୃତକ ବଞ୍ଚିଥିବା କହି ଗୁଣିଆ କରିଲା ଝଡାଫୁଙ୍କା। ଏହାକୁ ଦେଖି ସମସ୍ତେ ତାଜୁବ। ହେଲେ ଡାକ୍ତରଖାନାକୁ ଆଣିବା ପରେ ସେ ମହିଳାଙ୍କର ଅନେକ ସମୟ ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ଭାଲୁହୁରୁଡ଼ା ଗ୍ରାମରେ। ଗ୍ରାମର ସୁହାଗିନୀ ବିନ୍ଧାଣୀ ଗୁରୁତର ହୋଇ ୧୧ ଦିନ ହେବ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।ହେଲେ ଗତକାଲି ମଧ୍ୟରାତ୍ରିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ପରିବାର ଲୋକେ ମୃତଦେହ କୁ ଘରକୁ ନେଇ ଯାଇଥିଲେ। ଘରେ ମୃତ୍ୟୁ ଖବର ପହଞ୍ଚିବା ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ମିଶି ଶେଷକୃତ୍ୟ ନିମନ୍ତେ ଜୁଇ ସଜାଡି ସରିଥିଲେ। ହଠାତ ଘର ଲୋକ କହିଲେ ମୃତକ ସୁହାଗିନୀ ବଞ୍ଚିଛି। ପରିବାର ଲୋକଙ୍କ ହାତରୁ ପାଣି ପିଇଲା। ଏହା ସହିତ ତାର ନିଶ୍ୱାସ ଚାଲିଥିବା କହିଲେ ପରିବାର ଲୋକେ।ଏହା ସହିତ ମୃତ ସୁହାଗିନୀଙ୍କୁ ଗୁଣିଆ ଆସି ଝଡାଫୁଙ୍କା କରିଥିଲା ଏବଂ ବଞ୍ଚେଇ ଦେବ ବୋଲି କହିଥିଲା। ପରିବାର ଲୋକେ ମୃତ ଦେହକୁ ଜୀବିତ କହି ପୁଣି ଉଦଳା ଡାକ୍ତରଖାନାରେ ପହଞ୍ଚିଥିଲେ ସୁହାଗିନୀଙ୍କ ମୃତଦେହ ଧରି। ଆଉ ଡାକ୍ତର ପୁନଶ୍ଚ ଦେଖିବା ପରେ ସୁହାଗିନୀର ମୃତ୍ୟୁ ହୋଇଥିବା କହିଥିଲେ। ହେଲେ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ନାରାଜ। ସେମାନେ ପୂର୍ବରୁ ସୁହାଗିନୀଙ୍କ ମୃତ୍ୟୁ ହୋଇ ନ ଥିବା ଏବଂ ଡାକ୍ତର ଅବହେଳା କରିଥିବା ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକ ଏପରି କରିଥିବା ଆଲୋଚନା ହେଉଛି।