ମୟୁରଭଞ୍ଜ : ଡାକ୍ତରଖାନାରେ ଚାକିରୀ କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ।। ଫେରାର ଅଭିଯୁକ୍ତକୁ ଧରି ଥାନାରେ ଦେଲେ ଲୋକେ।
ମୟୁରଭଞ୍ଜ : ୧/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଡାକ୍ତରଖାନାରେ ବିଭିନ୍ନ ପଦରେ ଚାକିରୀ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ୪ ବର୍ଷ ହେଲା ଫେରାର ଥିବା ବେଳେ ଗତକାଲି ଲୋକଙ୍କ ହାତରେ ଧରା ପଡିଛନ୍ତି ଠକ କର୍ମଚାରୀ। ଅଭିଯୁକ୍ତ ରଜତ ପାତ୍ର ନିଜେ ଡାକ୍ତରଖାନାରେ ଚାକିରୀ କରିଥିବାରୁ ଲୋକେ ତାଙ୍କୁ ବିଶ୍ୱାସ କରି ଟଙ୍କା ଦେଇଥିଲେ। ଆଉ ସେହି ଡାକ୍ତରଖାନାରେ ଅନ୍ୟ ପଦବୀରେ ଚାକିରୀ କରାଇ ଦେବାକୁ କହି ଦୀର୍ଘ ଚାରି ବର୍ଷରୁ ଅଧିକ କାଳ ହେବ ଲୋକଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଠକି ଆସୁଥିଲେ। ହେଲେ ଚାକିରୀ ଦେବା ଦୂରର କଥା ଫେରାର ହୋଇଯାଇଥିଲେ ରଜତ। ଗତକାଲି ନିଜ ଘରକୁ ଆସିଥିବା ବେଳେ ଧରା ପଡିଲେ ଲୋକଙ୍କ ହାତରେ।
ଉଦଳା ଥାନା ୪ ନମ୍ବର ୱାର୍ଡର ଯୁବକ ରଜତ କୁମାର ପାତ୍ର ପୂର୍ବରୁ ଉଦଳା ଡାକ୍ତରଖାନାରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଆଜକୁ ୩ ବର୍ଷ ହେବ ସେ ଚାକିରୀରୁ ବିଦା ହୋଇ ସାରିଲେଣି।ହେଲେ ଚାକିରୀରେ ଥିବା ସମୟରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ହେବ ଅନେକ ଲୋକଙ୍କୁ ଉଦଳା ଡାକ୍ତରଖାନାରେ ଚାକିରୀ କରାଇ ଦେବେ କହି ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି । ସଫେଇ କର୍ମଚାରୀ , ଆଟେନଡାଣ୍ଟ ଭଳି ବିଭିନ୍ନ ପଦବୀରେ ଚାକିରୀ କରାଇଦେବେ କହି ଟଙ୍କା ନେଇ ଆସୁଥିଲେ। ଚାକିରୀ ନ ଦେବାରୁ ଟଙ୍କା ଦେଇଥିବା ଲୋକେ ରଜତ ପାତ୍ରଙ୍କୁ ଅର୍ଥ ଫେରସ୍ତ ମାଗିଥିଲେ। ଥାନାରେ ଏତଲା ଦିଆଯିବାରୁ ସେ କେତେ ଜଣଙ୍କୁ ଚେକ୍ ମଧ୍ୟ ଦେଇଥିଲେ। ପ୍ରାୟ ତିରିଶ ରୁ ଅଧିକ ଲୋକଙ୍କ ନିକଟରୁ ଚାଳିଶ ଲକ୍ଷ ରୁ ଅଧିକ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ ଲୋକମାନେ। ଟଙ୍କା ଦେଇ ଚାକିରୀ ପାଇ ନ ଥିବା ଲୋକେ ଅନେକ ଦିନ ଖୋଜାଖୋଜି କରୁଥିଲେ ସୁଦ୍ଧା ତାଙ୍କର ପତ୍ତା ପାଉ ନ ଥିଲେ। ହେଲେ ଗତକାଲି ରଜତ ପାତ୍ର ନିଜ ଘରକୁ ଆସିଥିବା ବେଳେ ଲୋକେ ଜାଣିପାରି ତାଙ୍କ ଘରେ ପହଞ୍ଚି ତାଙ୍କୁ ଅଟକାଇବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରଜତଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଛନ୍ତି। ଠକ ରଜତ ପାତ୍ର କେବଳ ଉଦଳା ନୁହେଁ କପ୍ତିପଦା ଡାକ୍ତରଖାନାରେ ଚାକିରୀ କରାଇ ଦେବା ନାଁରେ ଠକେଇ କରିଥିବା ମଧ୍ୟ ଅଭିଯୋଗ ହେଉଛି।