ମହାରାଷ୍ଟ୍ର : ବସ୍ ଓଲଟି ପଡିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ।। ୮ ଗୁରୁତର। ରାଜପଥରେ ବସ ଓଲଟି ପଡିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା।
ମହାରାଷ୍ଟ୍ର : ୧/୭ (ସତ୍ୟାନ୍ୟୁଜ) ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାନାରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୨୫ ଜଣ ଯାତ୍ରୀଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ବସ୍ରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି।
ବସ୍ଟି ନାଗପୁରରୁ ପୁଣେ ଅଭିମୁଖେ ପ୍ରାୟ ୩୩ ଯାତ୍ରୀଙ୍କୁ ଧରି ଯାତ୍ରା କରୁଥିଲା। ରାତି ପ୍ରାୟ ୨ଟା ବେଳେ ବସ୍ଟି ବୁଲଢାନା ଜାତୀୟ ରାଜପଥରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଓଲଟି ପଡ଼ିବା ପରେ ସଙ୍ଗେସଙ୍ଗେ ବସ୍ ରେ ନିଆଁ ଲାଗି ଯାଇଥିଲା। ଉକ୍ତ ସମୟରେ ବସ୍ର ଅଧିକାଂଶ ଯାତ୍ରୀ ଶୋଇ ପଡ଼ିଥିଲେ। ସାଙ୍ଗେ ସାଙ୍ଗେ ନିଆଁ ପୁରା ବସ୍କୁ ବ୍ୟାପି ଯାଇଥିଲା। ଯାତ୍ରୀମାନେ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜଳନ୍ତା ବସ୍ରୁ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।