ବିରମିତ୍ରପୁର : ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚରୀଙ୍କ ଘରୁ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଟେର ପାଇନି।। ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଜାରି।
ବିରମିତ୍ରପୁର : ୨୨/୬ (ସତ୍ୟାନ୍ୟୁଜ) ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚରୀଙ୍କ ଘରୁ ସଶସ୍ତ୍ର ଡକାୟତି ମାମଲାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଧରିବାରେ ସକ୍ଷମ ହୋଇ ପାରିନାହିଁ। ତେବେ ବୁଧବାର ଦିନ ପୋଲିସ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣା ଘଟିଛି ବିରମିତ୍ରପୁର ଥାନା ଅନ୍ତର୍ଗତ କୁମଝରିଆ ରେ । ସୋମବାର ରାତିରେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୁଶାନ୍ତ ଦାସ ଘରେ ଶୋଇଥିଲେ। ଅନ୍ୟ ରୁମ୍ ରେ ତାଙ୍କ ପତ୍ନୀ ଶୋଇ ଥିଲେ। ଝଡ଼ ତୋଫାନ ଯୋଗୁ ବିଦ୍ୟୁତ ଲାଇନ ଚାଲି ଯାଇଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପାଞ୍ଚ ଜଣ ମୁଖା ପିନ୍ଧା ଡକାୟତ ଘରେ ପଶିଥିଲେ। ତିନିଜଣ ଡକାୟତ ହାତରେ ପିସ୍ତଲ ଧରିଥିବା ବେଳେ ଅନ୍ୟମାନେ ଧାରୁଆ ଅସ୍ତ୍ର ଧରିଥିଲେ । ବନ୍ଧୁକ ମୁନରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଭୟଭୀତ କରାଇ ଡକାୟତ ମାନେ ଲୁଟ୍ କରିଥିଲେ। ୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା ସହ ନଗଦ ଟଙ୍କା ଡକାୟତ ମାନେ ଲୁଟି ନେଇଥିଲେ। ପୋଲିସ କୁ କହିଲେ ପରେ ଆସି ଜୀବନରେ ମାରିଦେବେ ବୋଲି ଡକାୟତ ମାନେ କହିଥିଲେ। ଘରର ଝରକା ଗ୍ରୀଲ କାଟି ଡକାୟତ ମାନେ ପଶିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ରାଜପଥ କଡରେ ଥିବା ଘରୁ ସନ୍ଧ୍ୟା ସମୟରେ ଏହି ସଶସ୍ତ୍ର ଡକାୟତି ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।