ମୟୁରଭଞ୍ଜ : ୨୬/୫ (ସତ୍ୟାନ୍ୟୁଜ) ସୋମବାର ଦିନ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମୟୂରଭଞ୍ଜ ପୁଲିସର ସ୍ଵତନ୍ତ୍ର ଟିମ୍ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଶୁକ୍ରବାର ଦିନ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡ଼ଗାଁ ପଞ୍ଚାୟତର ଶୁକଲାଲ ମାରାଣ୍ଡି , କୁଇଲିଡିହା ଅଞ୍ଚଳର ଦୁଗୁଲି ସିଂ ଏବଂ ବୁଦ୍ଧଦେବ ସିଂ। ପ୍ରତିଶୋଧ ପରାୟଣ ହୋଇ ବିମଳଙ୍କୁ ଅଭିଯୁକ୍ତମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।
ଗତ ସୋମବାର ଦିନ ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ୍ ରେଞ୍ଜରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀ ଓ ଏହି ଶିକାରୀମାନେ ସାମ୍ନାସାମ୍ନି ହୋଇଥିଲେ। ଶିକାରୀ ମାନେ ବନ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଖସି ପଳାଇଥିଲେ। ଶିକାରୀମାନେ ଛାଡ଼ି ପଳାଇଥିବା ଦେଶୀ ବନ୍ଧୁକ, ଦୁଇଟି ମୃତ ବାରାହା ଏବଂ ତିନୋଟି କୁଟୁରାକୁ ବନକର୍ମଚାରୀମାନେ ଜବତ କରିଥିଲେ। ସେହି ବନକର୍ମଚାରୀଙ୍କ ମଧ୍ୟରେ ବିମଳ କୁମାର ଜେନା ବି ଥିଲେ। ଏହି ଘଟଣାରେ ଶିକାରୀମାନେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ପରେ ଫରେଷ୍ଟ ଗାର୍ଡ ବିମଳଙ୍କୁ ଜଙ୍ଗଲରେ ଏକୁଟିଆ ପାଇ ଏହି ଶିକାରୀମାନେ ଗୁଳିକରି ହତ୍ୟା କରିଥିଲେ।
ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ହତ୍ୟା କରାଯିବା ପରେ ଶିକାରୀମାନଙ୍କୁ ଧରିବାକୁ ମୟୂରଭଞ୍ଜ ପୁଲିସ ପାଞ୍ଚଟି ଟିମ୍ ଗଠନ କରିଥିଲା। ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।