ବାଙ୍ଗିରିପୋଷି : ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ମୃତ।। ପୋଲିସ ଏବଂ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି।

0 340

ମୟୁରଭଞ୍ଜ : ୨୩/୫ (ସତ୍ୟାନ୍ୟୁଜ) ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଫରେଷ୍ଟ ଗାର୍ଡ ଜଣଙ୍କ ହେଲେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ବିମଳ କୁମାର ଜେନା ।
ସୋମବାର ଦିନ ବିମଳଙ୍କ ସମେତ ୪ଜଣ ବନ କର୍ମଚାରୀ ନଅଣା ସାଉଥ୍ ରେଞ୍ଜରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶିକାରୀଙ୍କ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। ଶିକାରୀମାନେ ବନ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଖସି ପଳାଇଥିଲେ। ବନକର୍ମଚାରୀ ମାନେ ତାଙ୍କଠାରୁ କିଛି ଦେଶୀ ବନ୍ଧୁକ ଓ ବନ୍ୟଜନ୍ତୁ ମାଂସ ଜବତ କରିଥିଲେ।
ସନ୍ଧ୍ୟା ସମୟରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରି ବିଟ୍‌ ହାଉସ୍ ପଳାଇ ଆସିଥିଲେ। ହେଲେ ବିମଳ ଆସିନଥିଲେ। ବିଟ୍ ହାଉସରୁ କିଛି ଦୂରରେ ନେଟୱର୍କ ଆସୁଥିବା ସ୍ଥାନକୁ ଯାଇ ଫୋନରେ କଥା ହେଉଥିଲେ। ଏହି ସମୟରେ ବିମଳଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳିଟି ତାଙ୍କ ଛାତିରେ ବାଜିଥିଲା। ଗୁଳି ଶବ୍ଦ ଶୁଣି ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିମଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ବିମଳଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଓ ଉତ୍ତର ଓ ଦକ୍ଷିଣ ଶିମିଳିପାଳ ର ଦୁଇ ଉପ ନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ବିମଳଙ୍କୁ ଶିକାରୀମାନେ ଗୁଳି କରିଥିବା ସନ୍ଦେହ କରାଯାଉଛି। ମୟୂରଭଞ୍ଜ ପୁଲିସ ଟିମ୍ ଏବଂ ବନ ବିଭାଗ ଅଧିକାରୀ ମାନେ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.