ରାଉରକେଲା : କାଳବୈଶାଖୀ ଯୋଗୁଁ ରାଉରକେଲା ଏୟାରପୋର୍ଟରେ ଅବତରଣ କରିପାରିଲା ନାହିଁ ବିମାନ।। ସମସ୍ତ ଯାତ୍ରୀ ଭୁବନେଶ୍ୱର ଫେରିଗଲେ।

0 857

ରାଉରକେଲା: ୨୩/୫ (ସତ୍ୟାନ୍ୟୁଜ) କାଳ ବୈଶାଖୀ ଯୋଗୁଁ ପ୍ରବଳ ପବନ ଏବଂ ଧୂଳିଝଡ ସାଜିଲା ବାଧକ। ସୋମବାର ଅପରାହ୍ନରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରି ନପାରି ଭୁବନେଶ୍ବର ଫେରିଗଲା ବିମାନ। ଫଳରେ ଭୁବନେଶ୍ବରରୁ ରାଉରକେଲା ଆସୁଥିବା ୬୮ ଯାତ୍ରୀ ବାଧ୍ୟ ହୋଇ ଭୁବନେଶ୍ୱର ଫେରି ଯାଇଥିଲେ। ସେହିପରି ରାଉରକେଲାରୁ ଭୁବନେଶ୍ବର ଯିବାକୁ ଅପେକ୍ଷା କରିଥିବା ପ୍ରାୟ ୬୦ ଜଣ ଯାତ୍ରୀ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଅବଶ୍ୟ ପରେ ରାଉରକେଲାରେ ୬୦ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଟିକେଟ୍‌ ଅର୍ଥ ଫେରସ୍ତ କରି ଦିଆଯାଇଥିଲା। ୬୦ ଯାତ୍ରୀଙ୍କ ମଧ୍ୟରୁ କିଛି ଯାତ୍ରୀ ରାତିରେ ବସ୍‌ ଏବଂ ଟ୍ରେନ ଯୋଗେ ରାଉରକେଲାରୁ ଭୁବନେଶ୍ବର ଯାତ୍ରା କରିଥିବା ଜଣାପଡିଛି। ସେମିତି ରାଉରକେଲାକୁ ଆସି ଫେରିଯାଇଥିବା ଯାତ୍ରୀମାନେ ଭୁବନେଶ୍ବରରୁ ବସ୍‌ ଓ ଟ୍ରେନ୍‌ରେ ରାଉରକେଲା ଆସିଥିବା ସୂଚନା ମିଳିଛି। ବିମାନରେ ଥିବା ରାଉରକେଲାର ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ୬୮ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବିମାନ ସୋମବାର ଅପରାହ୍ନ ପ୍ରାୟ ୨ଟା ୫୦ ମିନିଟ୍‌ରେ ଭୁବନେଶ୍ବରୁ ରାଉରକେଲା ଅଭିମୁଖେ ବାହାରିଥିଲା। ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବାବେଳେ ପବନ ସହ ପ୍ରବଳ ଧୂଳିଝଡ ହୋଇଥିଲା। ଫଳରେ ବିମାନ ଅବତରଣ କରି ନ ପାରି ରାଉରକେଲା ବିମାନ ବନ୍ଦର ଚତୁଃପାର୍ଶ୍ବ ଆକାଶରେ ଚକ୍କର କାଟିଥିଲା। ପ୍ରାୟ ୫ରୁ ୭ ମିନିଟ୍‌ ଚକ୍କର କାଟିବା ପରେ ପୁଣି ବିମାନକୁ ଅବତରଣ କରିବାକୁ ପାଇଲଟ୍‌ ଚେଷ୍ଟା କରିଥିଲେ। ମାତ୍ର ପବନ ବେଗ ନ କମିବାରୁ ବିମାନ ଅବତରଣରେ ସମସ୍ୟା ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ୍‌ ଅପରାହ୍ନ ପ୍ରାୟ ୪ଟାରେ ବିମାନଟିକୁ ରାଉରକେଲାରୁ ଝାରସୁଗୁଡା ବିମାନବନ୍ଦରରେ ଅବତରଣ କରିବାକୁ ନେଇ ଯାଇଥିଲେ। ଝାରସୁଗୁଡାରେ ମଧ୍ୟ ରାଉରକେଲା ବିମାନବନ୍ଦର ପରି ସମାନସ୍ଥିତି ଉପୁଜିଥିଲା। ଝାରସୁଗୁଡାରେ ପବନ ବାଧକ ସାଜିବାରୁ ବିମାନ ଅବତରଣ ନ କରିପାରି ଭୁବନେଶ୍ବର ବିମାନ ବନ୍ଦରକୁ ଫେରିଯାଇଥିଲା।

Leave A Reply

Your email address will not be published.