ମୟୁରଭଞ୍ଜ : ଜର୍ଜର ଅବସ୍ଥାରେ ଥିବା ସ୍କୁଲରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।। ଶୀଘ୍ର ନୂତନ ବିଦ୍ୟାଳୟ ଗୃହ ନିର୍ମାଣ କରିବାକୁ ଦାବି।
ମୟୁରଭଞ୍ଜ : ୧୭/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ ମାନେ। ସ୍କୁଲ ଛାତରୁ କେତେବେଳେ ପ୍ଲାଷ୍ଟର ଖସି ପଡୁଥିବା ବେଳେ କାନ୍ଥରୁ ମଧ୍ୟ ପ୍ଲାଷ୍ଟର ଝଡୁଛି। ଏ ଅବସ୍ଥା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର। ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ଯୋରଦା ପଞ୍ଚାୟତର ରାହାଡ଼ିଗୋଡାରେ ଏହି ସ୍କୁଲ। ୨୦୦୨ ମସିହାରେ ଉକ୍ତ ସ୍କୁଲ ଖୋଲା ଯାଇଥିଲା। ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠ ପଢା ଯାଉଥିବା ବେଳେ ଶ୍ରେଣୀ ଗୃହ ଗୁଡିକ ଜର୍ଜର ଅବସ୍ଥାରେ ରହିଛି। ଗ୍ରାମବାସୀ ମନେ ଜର୍ଜର ଅବସ୍ଥାରେ ଥିବା ଏହି ବିଦ୍ୟାଳୟ ଗୃହକୁ ମରାମତି କରିବା ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି। ୨୦୨୨ ମସିହାରେ ଏଠାକାର ସରପଞ୍ଚ କୁସୁମୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରାଇଥିଲେ। ଏହାର କୌଣସି ସୁଫଳ ନମିଳିବାରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଗ୍ରାମବାସୀ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କର ବୈଠକ ପରେ ନୂତନ ବିଦ୍ୟାଳୟ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା | ଏହାର କିଛି ଦିନ ଗଲା ପରେ , ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟିର ଏକ ଜରୁରୀ ବୈଠକ ପରେ ମାର୍ଚ୍ଚ ୨୦୨୩ କରା ଯାଇଥିଲା । ଏକ ଅସ୍ଥାୟୀ ତମ୍ବୁ ନିର୍ମାଣ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ସଂପର୍କରେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା |ବାରମ୍ବାର ଏ ଅଫିସରୁ ସେ ଅଫିସ ଦୌଡିବା ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ ଗ୍ରାମବାସୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ଇନଚାର୍ଜ ପ୍ରଧାନ ଶିକ୍ଷୟତ୍ରୀ ନନ୍ଦିତା ପାତ୍ର,ସ୍କୁଲ ପରିଚାଳନା କମିଟି ସଭାପତି ସିଂହରାୟ ହାଁସଦା , ସାକ୍ର ସୋରେନ, ମୋବିର ମୁର୍ମୁ,ରାମଚନ୍ଦ୍ର ହେମ୍ବ୍ରମ୍,ଛୋଟରାୟ ହେମ୍ବ୍ରମ୍,ଦୁଲାରାମ ହେମ୍ବ୍ରମ୍,ଭୀମସେନ ସୋରେନ,ଜୁଗଲ ସୋରେନ ତଥା ବହୁ ଗ୍ରାମବାସୀ ବୃନ୍ଦ ନୂତନ ବିଦ୍ୟାଳୟ ଗୃହ। ନିର୍ମାଣ ଲାଗି ପ୍ରଶାସନ ନିକଟରେ ଦୃଢ ଦାବୀ କରିଛନ୍ତି। ଆଗକୁ ବର୍ଷା ଋତୁ ଆସୁଥିବାରୁ ଛାତ୍ରଛାତ୍ରୀ ମାନେ କିପରି ଶିକ୍ଷା ଗ୍ରହଣ କରିପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।