ରାଉରକେଲା : ୪/୫ (ସତ୍ୟାନ୍ୟୁଜ) ରାଉରକେଲା ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ମଦ ମାଫିଆ ମାନେ ଏବେ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ପୂର୍ବରୁ ପୋଲିସ ଏବଂ ଅବକାରୀ ବିଭାଗ ଜଲଦା , ବନ୍ଧମୁଣ୍ଡା ଆଦି ଅଞ୍ଚଳରେ ଚଢ଼ାଉ କରି ବହୁ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିଲେ। ଏ ବାବଦରେ ମଦ ମାଫିଆ ମାନେ ଗିରଫ ମଧ୍ୟ ହୋଇଥିଲେ। କିନ୍ତୁ ଏହି ବ୍ୟବସାୟ ବନ୍ଦ ହୋଇନାହି। ରଘୁନାଥପାଲି ଥାନା ପୋଲିସ ଜଲଦା ଅଞ୍ଚଳରେ ଚଢ଼ାଉ କରି ଏକ ନକଲି ମଦ ପ୍ରସ୍ତୁତି କାରଖାନା ର ପର୍ଦ୍ଦାଫାସ କରିଛନ୍ତି। ମଦ ପ୍ରସ୍ତୁତି ଏବଂ ସପ୍ଲାଇ ଅଭିଯୋଗରେ ୫ ଜଣ ମଦ ମାଫିଆଙ୍କୁ ଗିରଫ ମଧ୍ୟ କରାଯାଇଛି। ଚଢ଼ାଉରେ ପୋଲିସ ବହୁ ନାମିଦାମୀ ମଦ କମ୍ପାନୀର ଲେବଲ , ଖାଲି ବୋତଲ , ଠିପି ମଦ ତିଆରି ସରଞ୍ଜାମ ଆଦି ଜବତ କରିଛନ୍ତି। ପୋଲିସ ଏକ ଅଟୋ ମଧ୍ୟ ଜବତ କରିଛି। ନକଲି ମଦ ପ୍ରସ୍ତୁତି ପରେ ଏହି ଅଟୋରେ ସହରର ବିଭିନ୍ନ ଢାବାକୁ ମଦ ସପ୍ଲାଇ ହେଉଥିଲା। ଏହି ଅଭିଯୁକ୍ତଙ୍କ ଲିଙ୍କ ଝାରଖଣ୍ଡ ସମେତ ଅନ୍ୟ ରାଜ୍ୟ ମଦ ମାଫିଆଙ୍କ ସହ ଥିବାରୁ ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଏସ୍ ପି ମୁକେଶ କୁମାର ଭାମୁ କହିଛନ୍ତି।