ରାଉରକେଲା : ସର୍କିଟ ହାଉସ୍ ପ୍ରକରଣରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ପଷ୍ଟୀକରଣ।। କହିଲେ , ପ୍ରକାଶ ମୋର ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ ଆର ଏମ୍ ସି ପ୍ରତିନିଧି।
ସର୍କିଟ୍ ହାଉସ୍ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ପଷ୍ଟୀକରଣ: ନିରପେକ୍ଷ ତଦନ୍ତ ହେଉ, ଦୋଷୀ ପ୍ରମାଣିତ ହେଲେ ଦଣ୍ଡ ମିଳୁ।
ରାଉରକେଲା: ୨୨/୮
(ସତ୍ୟାନ୍ୟୁଜ) ସର୍କିଟ ହାଉସ୍ ରେ ବନ୍ଧୁକ , ଗୁଳି ଜବତ ପରେ ୭ ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାସୱାନ ଙ୍କ ସମ୍ପୃକ୍ତି ଆସିବା ପରେ ଜୁଏଲ ଏକ ସ୍ପଷ୍ଟୀକରଣ ସାମାଜିକ ଗଣ ମାଧ୍ୟମରେ ଦେଇଛନ୍ତି।
” ସର୍କିଟ୍ ହାଉସ୍ ଘଟଣାକୁ ନେଇ ମୋର ନାମକୁ ନେଇ ବିଭିନ୍ନ ଆଲୋଚନା ଓ ଭ୍ରାନ୍ତିକର ସୂଚନା ସାମ୍ନାକୁ ଆସୁଥିବାରୁ ମୁଁ ଏହି ସ୍ପଷ୍ଟୀକରଣ ଦେଉଛି।
ପ୍ରକାଶ ପାସୱାନ ମୋର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ ରାଉରକେଲା ମହାନଗର ନିଗମର ପ୍ରତିନିଧି। ସର୍କିଟ୍ ହାଉସ୍ ଘଟଣା ସମ୍ପର୍କରେ ଯଦି ତାଙ୍କ ବିରୋଧରେ କୌଣସି ଅଭିଯୋଗ ରହିଛି, ତେବେ ତାହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେବା ଦରକାର। ତଦନ୍ତରେ ଦୋଷ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ—ଏଥିରେ ମୋର କୌଣସି ଆପତ୍ତି ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଆବଶ୍ୟକ।
ମୁଁ ଗତ ୩୫ ବର୍ଷ ଧରି ନିର୍ବାଚନୀ ରାଜନୀତିରେ ରହିଆସିଛି। ଏହି ଦୀର୍ଘ ରାଜନୈତିକ ଯାତ୍ରାରେ ସମସ୍ତ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ଆଶୀର୍ବାଦ ମୋ ସହିତ ରହିଛି। ଓଡ଼ିଆ, ଅନ୍ୟ ରାଜ୍ୟର ଲୋକ, ଆଦିବାସୀ, ବଙ୍ଗାଳୀ, ବିହାରୀ କିମ୍ବା ମାରୱାଡ଼ି—ମୋ ପାଇଁ ସମସ୍ତେ ସମାନ। ଲୋକଙ୍କ ସେବା କରିବା ପାଇଁ ମୁଁ ନିର୍ବାଚିତ ହୋଇଛି ଏବଂ ଜନସାଧାରଣଙ୍କ ହିତରେ କାମ କରିବା ହିଁ ମୋର ଦାୟିତ୍ୱ।
ଏହି ପରିସ୍ଥିତିରେ ମୋର ନାମକୁ ବ୍ୟବହାର କରି RTI ତଥ୍ୟ ମାଧ୍ୟମରେ ଭୁଲ କିମ୍ବା ଭ୍ରାନ୍ତିକର ସୂଚନା ପ୍ରଚାର କରି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାର କୌଣସି ପ୍ରୟାସ ହେଉଥିଲେ, ତାହାର ମଧ୍ୟ ଯଥାଚିତ ଯାଞ୍ଚ କରାଯିବା ଆବଶ୍ୟକ।
ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଜାଣିଶୁଣି ମୋ ବିରୋଧରେ ଅପପ୍ରଚାର କରୁଥାଏ, ତେବେ ମୁଁ ଆଇନର ଆଶ୍ରୟ ନେଇ ଉଚିତ କାର୍ଯ୍ୟାନୁଷ୍ଠାନ କରିବି।
ରାଜନୀତିରେ ବିରୋଧ ରହିବ, ସମାଲୋଚନା ମଧ୍ୟ ହେବ। କିନ୍ତୁ ମିଥ୍ୟା, ଅପପ୍ରଚାର ଓ ଷଡ଼ଯନ୍ତ୍ରକୁ କୌଣସି ପରିସ୍ଥିତିରେ ସହନ କରାଯିବ ନାହିଁ।
ସମୟ ବଡ଼ ବଳବାନ। ମୁଁ ସମୟକୁ ଅପେକ୍ଷା କରୁଛି।”