ରାଉରକେଲା : ପ୍ରକାଶ ପାସୱାନ ଙ୍କୁ ଧରିବାକୁ ୪ ଟିମ୍ ରାଜ୍ୟ ବାହାରେ।। ଡିଆଇଜି ଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ।। ଆଉ ଦୁଇ ଗିରଫ ପରେ ସଂଖ୍ୟା ୯ କୁ ବୃଦ୍ଧି।
ରାଉରକେଲା : ୨୩/୮
(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ପରେ ଅପରାଧୀ ଙ୍କ ଗିରଫ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପୋଲିସ୍ ଏହି ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରି ଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ମାନେ ସୂରଜ ଗୁପ୍ତା ଏବଂ ଆଦର୍ଶ ସାହୁ ବୋଲି ଜଣା ପଡିଛି। ଅନ୍ୟପକ୍ଷରେ ସର୍କିଟ ହାଉସ୍ କୁ ସୁରକ୍ଷିତ ଆଶ୍ରୟସ୍ଥଳୀରେ ପରିଣତ କରି ଅପରାଧୀ ମାନଙ୍କୁ ରଖିବାରେ ସାଂସଦ ପ୍ରତିନିଧି ପ୍ରକାଶ ପାସୱାନ ଙ୍କ ସମ୍ପୃକ୍ତି ଥିବା ପୋଲିସ୍ ଜାଣିବାକୁ ପାଇଛି। ପ୍ରକାଶ ଫେରାର ହୋଇ ଯାଇଥିବା ବେଳେ ତାଙ୍କୁ ଧରିବାକୁ ୪ ଟି ପୋଲିସ୍ ଟିମ୍ ରାଜ୍ୟ ବାହାରକୁ ଯାଇଛନ୍ତି । ପୂର୍ବରୁ ୩ ଟି ଟିମ୍ ଯାଇଥିବା ବେଳେ ଆଜି ଗୋଟିଏ ଟିମ୍ ଯାଇଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଆଜି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଙ୍କ ଅଧ୍ୟକ୍ଷତାରେ ଅପରାଧ ନିୟନ୍ତ୍ରଣ ବାବଦରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ପାସୱାନ ବ୍ୟବହାର କରୁଥିବା ଗାଡ଼ି ର ମାଲିକ ଏବଂ ଦଣ୍ଡିଆପାଲି ର ଗୋବିନ୍ଦ ସିଂ କୁ ପୋଲିସ୍ ଉଠାଇ ଆଣି ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତ ମାନେ ବାଲି ମାଫିଆ ମାନଙ୍କୁ ପ୍ରୋଟେକସନ୍ ଦେବା ଲାଗି ଟଙ୍କା ଆଦାୟ , ବିଭିନ୍ନ ସ୍ଥାନରେ ଦାଦାବଟି ଆଦାୟ ସହ ଗୋ ଚାଲାଣ ରେ ଲିପ୍ତ ଥିବା ଜଣା ପଡିଛି। ଆଗକୁ ଆହୁରି ଗିରଫଦାରି ହେବାର ସମ୍ଭାବନା ରହିଛି।