ରାଉରକେଲା : ୨୭।୬(ସତ୍ୟାନ୍ୟୁଜ) : ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେ’ର କାଂଶବାହାଲ ନିକଟ ମାଣ୍ଡିଆକୁଦର ସୋନୁ ଢାବା ନିକଟରେ ଗତକାଲି ରାତିରେ ଏକ ସ୍କୁଟର୍ ଡିଭାଇଡରରେ ପିଟି ହୋଇ ଯିବାରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ରାଜଗାଙ୍ଗପୁର ଅଞ୍ଚଳର ରବୀନ୍ଦ୍ର ପଣ୍ଡା (୨୫) ଏବଂ ରଶ୍ମିରଞ୍ଜନ ସ୍ବାଇଁ (୨୬)। କାଂଶବାହଲ ପୁଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ବୁଧବାର ରାତି ପ୍ରାୟ ୯ଟାରେ ରବୀନ୍ଦ୍ର ଏବଂ ରଶ୍ମିରଞ୍ଜନ ସ୍କୁଟିରେ ରାଉରକେଲାରୁ ବେକେରି ସାମଗ୍ରୀ ନେଇ ବିଜୁ ଏକ୍ସପ୍ରେସ୍ ୱେ’ରେ ରାଜଗାଙ୍ଗପୁର ଫେରୁଥିଲେ। ଦ୍ରୁତଗତିରେ ଯାଉଥିବା ଏକ ବୁଲେଟ୍ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ରାସ୍ତାପାର୍ଶ୍ବ ଡିଭାଇଡରରେ ପିଟି ହୋଇ ଭାରସାମ୍ୟ ହରାଇ ଦୁହେଁ ସ୍କୁଟି ସହ ତଳେ ପଡ଼ିଥିଲେ। ଉଭୟଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସରେ ରାଉରକେଲା ସରକାରୀ ଡାକ୍ତରଖାନା କୁ ଆଣିଥିଲେ। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।। ଏହି ଘଟଣାରେ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳି ଯାଇଛି।