ରାଉରକେଲା : ୨୬/୬ (ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଲୋନୀ କଳିଙ୍ଗ ବିହାର ଅଞ୍ଚଳରୁ ଲୋକୋ ପାଇଲଟ ନିହାର ସରକାର ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ନିହାର ଅପହୃତ ହୋଇ ନଥିଲେ ବରଂ ତାଙ୍କର ତଥାକଥିତ ଅପହରଣ କାରୀଙ୍କ ସହ ଚିହ୍ନା ପରିଚୟ ଥିଲା। ଏହି ତଥ୍ୟ ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଛି। ପୋଲିସ ତଥାକଥିତ ତିନିଜଣ ଅପହରଣ କାରୀଙ୍କୁ ଗିରଫ କରିଛି। ଜୁନ ୨୩ ତାରିଖ ସକାଳେ ଅପହରଣ ବାବଦରେ ଛେଣ୍ଡ ଥାନାରେ ଏତେଲା ଦେଇଥିଲେ ନିହାର। ତାଙ୍କ କହିବା ଅନୁଯାୟୀ ୨୨ ଜୁନ ରାତିରେ ସେ କଳିଙ୍ଗ ନଗର ଘର ନିକଟରେ ବୁଲୁଥିବା ବେଳେ ତିନିଜଣ ଯୁବକ ତାଙ୍କୁ କାରରେ କିଡନାପ୍ କରି ନେଇ ଯାଇଥିଲେ। ଲାଠିକଟା ଆଡକୁ ୧୦ କିଲୋମିଟର ନେବା ପରେ ତାଙ୍କ ଠାରୁ ଦ୍ରୁବୃତ୍ତ ମାନେ ସୁନା ଚେନ , ଘଡି ଲୁଟି ନେଇଥିଲେ। ପରେ ମୋବାଇଲ ଫୋନ , ୟୁପିଆଇ ପିନ୍ ଏବଂ ଶିମ କାର୍ଡ ନେଇଯାଇଥିଲେ। ପରେ ତାଙ୍କୁ ହକି ଛକ ନିକଟରେ ଛାଡି ଦେଇଥିଲେ। ନିହାର ଘରକୁ ଆସିବା ପରେ ତାଙ୍କ ଆକାଉଣ୍ଟରୁ ୯୯ ହଜାର ଟଙ୍କା କଟି ଯାଇଥିବା ଜାଣିବାକୁ ପାଇଥିଲେ।
ଦ୍ରୁବୃତ୍ତ ମାନଙ୍କୁ ଧରିବାକୁ ଅତିରିକ୍ତ ଏସ ପି ଙ୍କ ନେତୃତ୍ୱରେ ଡ଼ିଆଇଜି ଏକ ଟିମ୍ ଗଠନ କରିଥିଲେ। ପୋଲିସ ତଦନ୍ତ କରି ଭୁବନେଶ୍ୱର ଏଆର ଫିଲ୍ଡ ଥାନା ଅଞ୍ଚଳରୁ ସଂଗ୍ରାମ କେଶରୀ ପଟ୍ଟନାୟକ , ସୃତି ରଞ୍ଜନ ପାଇକରାୟ ଏବଂ ସତ୍ୟ ପ୍ରକାଶ ପ୍ରଧାନଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ଅପରାଧରେ ବ୍ୟବହୃତ ହୁଣ୍ଡାଇ କାର , ସୁନା ଚେନ୍ ଏବଂ ନଗଦ ୫୦ ହଜାର ଟଙ୍କା ଜବତ କରିଥିଲେ। ତଦନ୍ତ ବେଳେ ଉକ୍ତ ତିନି ଜଣ ଯୁବକଙ୍କ ସହ ନିହାର ସରକାରଙ୍କ ସୋସିଆଲ ମିଡ଼ିଆ ର ଏକ ଆପ୍ ମାଧ୍ୟମରେ ପରିଚୟ ଥିବା ଜଣା ପଡି ଥିଲା ବୋଲି ଡ଼ିଆଇଜି ବ୍ରିଜେଶ ରାୟ କହିଛନ୍ତି।