ରାଉରକେଲା : ମହାନଗର ନିଗମ କମିଶନରଙ୍କ ଉଦିତନଗର ଫୁଡ଼ କୋର୍ଟ ପରିଦର୍ଶନ।। ରାସ୍ତାକଡ଼ ଦୋକାନୀଙ୍କୁ ସେଠାରେ ଥଇଥାନ କରିବାକୁ ନିର୍ଦ୍ଦେଶ।
ରାଉରକେଲା : ୨୬/୬ (ସତ୍ୟାନ୍ୟୁଜ)
ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ଉଦିତନଗର ଠାରେ ନବ ନିର୍ମିତ ଫୁଡ଼ କୋର୍ଟ ବୁଲି ଦେଖିବା ସହ ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଥିଲେ। ଏଥି ସହ ରାସ୍ତା ପାର୍ଶ୍ଵ ବ୍ୟବସାୟୀଙ୍କୁ ଏହି ଭୋଜନ ପରିସରରେ ଥଇଥାନ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତାକଡ଼ ଦୋକାନୀ ମାନେ ବିଭିନ୍ନ ଆଳ ଦେଖାଇ ଫୁଡ଼ କୋର୍ଟ ଯାଉ ନଥିବା ଖବର ଗତ କାଲି ସତ୍ୟାନ୍ୟୁଜ ଆଲର୍ଟ ରେ ପ୍ରସାରିତ ହୋଇଥିଲା।
ସୂଚନାଯୋଗ୍ୟଯେ ରାସ୍ତା କଡରେ ଅବ୍ୟବସ୍ଥିତ ଭାବେ ବସି ଥିବା ଫାଷ୍ଟ ଫୁଡ୍ ଦୋକାନୀ ମାନଙ୍କୁ ବ୍ୟବସ୍ଥିତ କରିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ନିର୍ମାଣ କରାଯାଇଛି ଫୁଡ଼କୋର୍ଟ। ଉଦିତନଗର ଠାରେ ଏହି ଫୁଡ଼ କୋର୍ଟରେ ୫୧ ଟି ଷ୍ଟଲ୍ ରହିଛି। ରାସ୍ତା ଉପରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କୁ ଏହି ଷ୍ଟଲ୍ ଆଲର୍ଟମେଣ୍ଟ ମଧ୍ୟ ହୋଇଛି। ମାତ୍ର ଦୋକାନୀ ମାନେ ସେଠାକୁ ଯିବାକୁ ରାଜି ହେଉ ନାହାନ୍ତି। ଫୁଡ଼ କୋର୍ଟ ଅତି ସୁନ୍ଦର ଏବଂ ବ୍ୟବସ୍ଥିତ ଢଙ୍ଗରେ କରା ଯାଇଛି। ମାତ୍ର ବ୍ୟବସାୟୀ ମାନେ ସେଠାକୁ ନଯାଇ ରାସ୍ତା କଡରେ ଖାଦ୍ୟ ବିକ୍ରି କରୁଥିବାରୁ ୭ ଦିନ ମଧ୍ୟରେ ଫୁଡ଼ କୋର୍ଟ ମଧ୍ୟରେ ପ୍ରବେଶ କରିବାକୁ ମହାନଗର ନିଗମ ନୋଟିସ ଦିଆଯାଇଥିଲା। ତେବେ ଫୁଡ଼ କୋର୍ଟ ମଧ୍ୟରେ ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ନଥିବା ଦର୍ଶାଇ ବ୍ୟବସାୟୀ ମାନେ ଯିବାକୁ ଇଛା କରୁନଥିଲେ। ଏପର୍ଯ୍ୟନ୍ତ ଫୁଡ଼ କୋର୍ଟରେ ମାତ୍ର ୩ଟି ଦୋକାନ ଖୋଲିଛି। ବର୍ଷା ଦିନ ଆସୁଥିବାରୁ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ କରାଯିବା ସହ ଦୋକାନୀ ମାନେ ଫୁଡ଼ କୋର୍ଟ ମଧ୍ୟରେ ବ୍ୟବସାୟ କରିବାକୁ ପରାମର୍ଶ ଦିଆଯାଇଛି। ଆଜି ଏଡିଏମ୍ ତଥା ମହାନଗର ନିଗମ କମିଶନରଙ୍କ ଗସ୍ତ ପରେ ଫୁଡ଼ କୋର୍ଟରେ ଦୋକାନ ଗୁଡିକ ଖୁବ ଶୀଘ୍ର ଖୋଲିବା ନେଇ ଆଶା ପ୍ରକାଶ ପାଇଛି।