ସୁନ୍ଦରଗଡ଼, ୧ ସେପ୍ଟେମ୍ବର ୨୦୨୧: ଲୋକମାନଙ୍କର ମାନସିକ ଓ ଶାରୀରିକ ବିକାଶ ପାଇଁ ପୋଷଣ ନିହାତି ଜରୁରୀ। ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୧ରୁ ୭ ତାରିଖ ଯାଏଁ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଆଜିଠୁ ପୁଷ୍ଟିଶସ୍ୟ ପୋଷଣ ସଚେତନତା ରଥ ଗଡ଼ିଛି। ସୁନ୍ଦରଗଡ଼ଠାରେ ଏହି ରଥକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଉଦଘାଟନ କରିଛନ୍ତି।

ଏହି ରଥ ସପ୍ତାହେ ବ୍ୟାପି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗାଁ ପରିକ୍ରମା କରିବ। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିକର ଗୁଣ ସମ୍ପର୍କରେ ଏହି ରଥ ଲୋକମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିବ। ସୁନ୍ଦରଗଡ଼ ସହିତ ପାନପୋଷ ଏବଂ ବଣାଇଁ ଉପଖଣ୍ଡରେ ମଧ୍ୟ ଏହି ସଚେତନତା ରଥ ଗଡ଼ିଛି।
‘‘ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ମାଣ୍ଡିଆ ଲଡ଼ୁ ମିକ୍ସ ସହିତ ସ୍ପିରୁଲିନା ଚିନି ଓ ଚିକି ବଣ୍ଟନ କରାଯାଉଛି। ଏହାଛଡ଼ା ଜିଲ୍ଲାରେ ମାଣ୍ଡିଆ ସହିତ ଅନ୍ୟ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଜିଲ୍ଲାର ୧୧ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଉଛି। ତେଣୁ ଲୋକମାନଙ୍କୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରିବା ଲାଗି ପୋଷଣ ସପ୍ତାହ ପାଳନ କରାଯାଉଛି’’, କହିଛନ୍ତି ଭୈରବ ସିଂ ପଟେଲ।
ସୁନ୍ଦରଗଡ଼ଠାରେ ସଚେତନତା ରଥ ଶୁଭାରମ୍ଭ ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ, ଜିଲ୍ଲା ଆଇସିଡିଏସ୍ ପ୍ରୋଗ୍ରାମ ଅଫିସର ଚୁଲେଶ୍ୱରୀ ପଟେଲ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ଓଡିଶା ପୁଷ୍ଟିଶସ୍ୟ ମିଶନ ଓ କୃଷି ବିଭାଗର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ ଜିଲ୍ଲାରେ ପିଲାମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ମାଣ୍ଡିଆ ଲଡ଼ୁ ମିକ୍ସ ଏବଂ ସ୍ପିରୁଲିନା ଚିନି ଓ ଚିକି ବଣ୍ଟନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲାର ୩,୮୦୯ଟି ଅଙ୍ଗନବାଡ଼ି ମାଧ୍ୟମରେ ୩ରୁ ୬ ବର୍ଷ ବୟସର ପିଲାମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡ଼ୁ ସାମିଲ କରାଯାଇଛି। ଏହା ଦ୍ୱାରା ୬୩ ହଜାରରୁ ଅଧିକ ପିଲା ଉପକୃତ ହେଉଛନ୍ତି। ସେହିପରି ୭ ମାସରୁ ୨ ବର୍ଷ ପିଲାଙ୍କୁ ସ୍ପିରୁଲିନା ଚିନି ଏବଂ ୨ରୁ ୬ ବର୍ଷ ବୟସର ପିଲାଙ୍କୁ ସ୍ପିରୁଲିନା ଚିକି ଦିଆଯାଉଛି। ଏଥିରେ ୧ ଲକ୍ଷ ୪୨ ହଜାରରୁ ଅଧିକ ପିଲା ଉପକୃତ ହେବେ। ଏହି ପୋଷଣ କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି।