ରାଉରକେଲା : ୧୭/୧୨(ସତ୍ୟା ନ୍ୟୁଜ) ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ମଧ୍ୟରେ ରାଉରକେଲା ନଗର କ୍ରୀଡ଼ା ଉତ୍ସବର ଦଶମ ଦିନର ଖେଳ ସମାପ୍ତ ହୋଇଛି । ପୂର୍ବରୁ ହକି, ଖୋ ଖୋ, କବାଡ଼ି ଓ ଭଲିବଲ୍ ବିଭାଗରେ ଖେଳ ସରିସାରିଥିବା ବେଳେ ଫୁଟବଲ୍ ବିଭାଗରେ ଖେଳ ଆଗେଇ ଚାଲିଛି । ଶନିବାର ନଗର କ୍ରୀଡ଼ା ଉତ୍ସବର ଫୁଟବଲ୍ ବିଭାଗରେ ମୋଟ ୩ଟି ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ବିଆରଡି ଫୁଟବଲ୍ କ୍ଳବ୍ (ସେକ୍ଟର ୧୯), ଏସ୍ଏନ୍ବି କ୍ଳବ୍ (ସେକ୍ଟର ୧୪), ଦେଓଗାଁ ଫୁଟବଲ ଟିମ୍ ବିଜୟୀ ହୋଇଛନ୍ତି ।
ରାଉରକେଲା ସ୍ପୋର୍ଟସ୍ ଆସୋସିଏସନ୍ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଇସ୍ପାତ ଷ୍ଟାଡିୟମ୍ (ସେକ୍ଟର-୬) ପରିସରରେ ଗ୍ରୁପ ‘ଏ’ ବିଭାଗ ଫୁଟବଲ ମ୍ୟାଚ୍ ଖେଳାଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଳାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ଉପ ଆୟୁକ୍ତ ସୁଧାଂଶୁ ଭୋଇ ଯୋଗ ଦେଇ ଖେଳର ଶୁଭାରମ୍ଭ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ପ୍ରଥମ ମ୍ୟାଚରେ ଧର୍ମେଶ କ୍ଳବ୍ ବାଲିଝୁଡ଼ିକୁ ୨-୦ ଗୋଲରେ ପରାସ୍ତ କରିଥିଲା ବିଆରଡି ଫୁଟବଲ୍ କ୍ଳବ୍ (ସେକ୍ଟର ୧୯) । ଦ୍ବିତୀୟ ମ୍ୟାଚଟି ଏସ୍ଏନବି (ସେକ୍ଟର- ୧୪) ବନାମ ଆରଏସ୍ପି ଜୁନିୟର ମଧ୍ୟରେ ଖେଳାଯାଇଥିଲା। ଯାହାକୁ ଏସଏନବି (ସେକ୍ଟର ୧୪) ଟିମ୍ ୧-୦ ଗୋଲରେ ଜିତି ନେଇଛି ।
ଅପରପକ୍ଷରେ କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ୍ ଓ ରାଉରକେଲା ମହାନଗର ନିଗମ ଆନୁକୂଲ୍ୟରେ ଉଦିତ ନଗର ସ୍ଥିତି ମିନି ଷ୍ଟାଡିୟମ ପରିସରରେ ଗ୍ରୁପ୍ ‘ବି’ ବିଭାଗର ଫୁଟବଲ ମ୍ୟାଚ୍ ଖେଳା ଯାଇଥିଲା । ଦେଓଗାଁ ବନାମ ବନ୍ଧମୁଣ୍ଡା ମଧ୍ୟରେ ଆଜିର ମ୍ୟାଚ୍ ଖେଳାଯାଇଥିବା ବେଳେ ଏହାକୁ ଦେଓଗାଁ ଫୁଟବଲ୍ ଟିମ୍ ୧-୦ ଗୋଲରେ ଜିତି ନେଇଛି । ରବିବାର ମଧ୍ୟ ନଗର କ୍ରୀଡ଼ା ଉତ୍ସବର ଫୁଟବଲ ମ୍ୟାଚ୍ ଗୁଡ଼ିକ ଖେଳାଯିବ ।