ରାଉରକେଲା : ବିଶ୍ରା ଥାନାର ଖୁଣ୍ଟଗାଁ ରେ ସଶସ୍ତ୍ର ଡକାୟତି।। ୧୫ ଲକ୍ଷ ସୁନା ଗହଣା ସହ ନଗଦ ଦେଢ଼ ଲକ୍ଷ ଲୁଟ।। ପୋଲିସ ର ବିଭିନ୍ନ ସ୍ଥାନରେ ଚଢ଼ାଉ।
ରାଉରକେଲା(ସତ୍ୟା ନିଉଜ) ୨୬/୯
ବିଶ୍ରା ଥାନା ଅନ୍ତର୍ଗତ ଖୁଣ୍ଟଗାଁରେ ରବିବାର ସନ୍ଧ୍ୟାରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାରିକି ଗିରଫ କରି ପାରିନାହିଁ। ତେବେ ଲୁଟ ପରେ ଡକାୟତ ମାନେ ଗୃହସ୍ୱାମୀଙ୍କ ନେଇ ଯାଇଥିବା ବାଇକକୁ ପୋଲିସ ଉଦ୍ଧାର କରିଛି। ଡକାୟତ ମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ସୋମବାର ସକାଳେ ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ତଦନ୍ତ କରିଛି।
ସୂଚନାଯୋଗ୍ୟଯେ ରବିବାର ସନ୍ଧ୍ୟାରେ ଚାରିଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଅବସରପ୍ରାପ୍ତ ଆର୍ଏସ୍ପି କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘରେ ଡକାୟତି କରିଥିଲେ। ଡକାୟତ ମାନେ ୧୫ ଲକ୍ଷ ଟଙ୍କାର ସୁନାଗହଣା ସମେତ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇ ପଳାଇଥିଲେ। ଡକାୟତମାନେ ଯିବାବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ହିରୋହୁଣ୍ଡା ମୋଟରବାଇକ୍କୁ ଧରି ପଳାଇଥିଲେ। ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏପର୍ଯ୍ୟନ୍ତ ପୁଲିସ ଡକାୟତମାନଙ୍କ କୌଣସି ସନ୍ଧାନ ପାଇପାରିନି। ଖୁଣ୍ଟଗାଁରେ କିଛି ମାସ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ବଡ ଡକାୟତିକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ଖୁଣ୍ଟଗାଁରେ ଆର୍ଏସ୍ପି ଅବସରପ୍ରାପ୍ତ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସାହୁ ପରିବାର ସହ ରହନ୍ତି। ଗତ ତିନି ଦିନ ତଳେ ତାଙ୍କ ପୁଅର ବିବାହ ହୋଇଥିଲା। ଆଜି ରାତିରେ ପୂର୍ଣ୍ଣଚନ୍ଦ୍ର, ତାଙ୍କ ଦୁଇ ପୁଅ ସହ ଅନ୍ୟମାନେ ଘରେ ଥିଲେ। ଯୋଜନାବଦ୍ଧ ଭାବେ ରାତି ପ୍ରାୟ ୯ଟାରେ ୪ ଜଣ ଡକାୟତ ହାତରେ ଭୂଜାଲି, ଚାପଡ ଧରି ପୂର୍ଣ୍ଣଚନ୍ଦ୍ରଙ୍କ ଘର ଭିତରକୁ ଜୋରଜବରଦସ୍ତ ପଶିଥିଲେ। ସମସ୍ତେ ମୁହଁରେ ମୁଖା ପିନ୍ଧିଥିଲେ। ସେତେବେଳେ ମାର୍କେଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଡକାୟତମାନଙ୍କ ସମ୍ପର୍କରେ କେହି କିଛି ଜାଣିପାରି ନଥିଲେ। ଚାରି ଡକାୟତଙ୍କ ମଧ୍ୟରୁ ଜଣେ ପୂର୍ଣ୍ଣଚନ୍ଦ୍ରଙ୍କ ବଡପୁଅକୁ ଭୂଜାଲି ଦେଖାଇ ଭୟଭିତ କରିବା ସହ ମାଡ଼ ମାରିଥିଲେ। ପରେ ପରିବାର ସମସ୍ତଙ୍କ ସଦସ୍ୟଙ୍କୁ ଗୋଟିଏ ଘରେ ପୁରାଇ ଦେଇ ଚୁପ୍ ହୋଇ ବସି ରହିବାକୁ ଧମକ ଦେଇଥିଲେ। ଜୀବନ ଚାଲିଯିବା ଭୟରେ ପରିବାର ସମସ୍ତ ସଦସ୍ୟ ଗୋଟିଏ ରୁମ୍ରେ ଚୁପ୍ ହୋଇ ବସି ରହିଥିଲେ। ଚାରି ଡକାୟତଙ୍କ ମଧ୍ୟରୁ ଦୁଇଜଣ ପୂର୍ଣ୍ଣଚନ୍ଦ୍ରଙ୍କ ଘରର ଦୁଇଟି ଆଲମିରାରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଯିବା ବେଳେ ଘର ଆଗରେ ଛିଡା ହୋଇଥିବା ପୂର୍ଣ୍ଣଚନ୍ଦ୍ରଙ୍କ ମୋଟରବାଇକ୍କୁ ଧରି ଫେରାର ହୋଇଯାଇଥିଲେ। ସୂଚନାଯୋଗ୍ୟ, କିଛି ମାସ ତଳେ ଖୁଣ୍ଟଗାଁରେ ଅନ୍ୟ ଜଣେ ବ୍ୟବସାୟୀ ସଞ୍ଜିବ ସାହୁ ଘରେ ଚୋରମାନେ ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଥିଲେ। କେବଳ ଏତିକି ନୁହେଁ ଏହାର କିଛି ମାସ ପୂର୍ବରୁ ଖୁଣ୍ଟଗାଁର ଜଣାଶୁଣା ବ୍ୟବସାୟୀ ମନୋଜ ସାହୁଙ୍କ ଘରୁ ମଧ୍ୟ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଥିଲେ। ବାରମ୍ବାର ଖୁଣ୍ଟଗାଁ ବଜାରରେ ଏମିତି କ୍ରାଇମ ହେଉଥିଲେ ହେଁ ଏହାକୁ ରୋକିବାକୁ ପୋଲିସ ସଫଳ ହୋଇନାହିଁ।