ହକି ଖେଳରୁ ନମିତା ଟପ୍ପୋଙ୍କ ଅବସର।। କୋଚ୍ , ଶୁଭେଚ୍ଛୁ , କ୍ରୀଡା ବିଭାଗ , ହକି ଇଣ୍ଡିଆ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ।
ରାଉରକେଲା: ଏକ ଦଶନ୍ଧିର କ୍ରୀଡ଼ା ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭାରତୀୟ ମହିଳା ହକି ଦଳର ତାରକା ମିଡ୍ଫିଲ୍ଡର ଅଲିମ୍ପିଆନ ନମିତା ଟପ୍ପୋ। ପାନପୋଷ କ୍ରୀଡ଼ା ଛାତ୍ରାବାସରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ନମିତା କନିଷ୍ଠ, ବରିଷ୍ଠ ବର୍ଗରେ ଏକାଧିକ ମ୍ୟାଚ୍ ଖେଳିଥିବାବେଳେ ଭାରତୀୟ ମହିଳା ଦଳ ପକ୍ଷରୁ ୧୬୮ ଅନ୍ତର୍ଜାତୀୟ ମ୍ୟାଚ୍ ଖେଲିଥିଲେ। ରିଓ ଅଲିମ୍ପିକ୍ସ(୨୦୧୬) ସମେତ କନିଷ୍ଠ ହକି ବିଶ୍ବକପ୍, ଏସିଆନ ଗେମ୍ସ, ଏସିଆ କପ୍, ରାଜ୍ୟଗୋଷ୍ଠି କ୍ରୀଡ଼ାରେ ଭାରତୀୟ ଦଳର ଅବିଚ୍ଛେଦ୍ୟ ଅଙ୍ଗ ଥିଲେ। ଗତ ଟୋକିଓ ଅଲିମ୍ପିକ୍ସ୍ ଦଳରେ ଭାରତୀୟ ମହିଳା ଦଳରେ ସାମିଲ ହୋଇଥିଲେ; କିନ୍ତୁ ସ୍ୱାସ୍ଥ୍ୟ ଗତ କାରଣରୁ ସେ ମ୍ୟାଚ୍ ଖେଳିପାରିନଥିଲେ। ଏହାପରେ ଭାରତୀୟ ଦଳ ସହ ଶିବିରରେ ସାମିଲ ହୋଇଥିଲେ ମଧ୍ୟ ଆହତ ସମସ୍ୟାରୁ ଶତପ୍ରତିଶତ ମୁକୁଳିପାରିନଥିଲେ। ସମ୍ଭବତଃ ଦୀର୍ଘକାଳୀନ ଆହତ ସମସ୍ୟା ଯୋଗୁଁ ସେ ମାତ୍ର ୨୭ ବର୍ଷ ବୟସରେ କ୍ରୀଡ଼ା ଜୀବନରୁ ସନ୍ୟାସ ନେଇଛନ୍ତି।
ନମିତା କହିଛନ୍ତିଯେ , ତାଙ୍କ ସଫଳତାରେ ପ୍ରଶିକ୍ଷକ, ଟିମ୍ ମ୍ୟାନେଜମେଣ୍ଟ୍, ସହ-କ୍ରୀଡ଼ାବିତ୍, ପରିବାର ସଦସ୍ୟଙ୍କ ଅତୁଳନୀୟ ଅବଦାନ ରହିଛି। ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ମୋ’ ସ୍ବପ୍ନ ହାସଲ ହୋଇପାରିଛି। ଏହାସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା କ୍ରୀଡ଼ା ବିଭାଗ, ସାଇ, ହକି ଇଣ୍ଡିଆ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ଆକୁଣ୍ଠ ସମର୍ଥନ ଯୋଗୁଁ ମୁଁ ଚିର ଋଣୀ। ସଂପ୍ରତି ଭାରତୀୟ ମହିଳା ହକି ଦଳ ଗୋଟିଏପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ବିଶେଷକରି ଗତ ଏକ ଦଶନ୍ଧି ହେଲା ଭାରତୀୟ ମହିଳା ହକି ଦଳ ଯେଭଳି ଉତ୍କୃଷ୍ଟତା ହାସଲ କରିଛି; ତାହା ନିଶ୍ଚିତଭାବରେ ସନ୍ତୋଷଜନକ। ମୁଁ ଏବେ ଜୀବନର ନୂଆ ସୋପନାରେ ପାଦ ଥାପିବାକୁ ଯାଉଛି। ତଥାପି ଭାରତୀୟ ଦଳ ପାଇଁ ସବୁବେଳେ ଅନ୍ତରରୁ ସମର୍ଥନ ରହିବ ବୋଲି ନମିତା କହିଛନ୍ତି।