ସୁନ୍ଦରଗଡ଼ : ସବଡେଗା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କଲେ ଜିଲ୍ଲାପାଳ।। ଜନ ଶୁଣାଣି ରେ ଶୁଣିଲେ ଆପତ୍ତି ଅଭିଯୋଗ।
ସୁନ୍ଦରଗଡ଼, ୧୨ ସେପ୍ଟେମ୍ବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସବଡେଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଶି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ସାଗରିକା ନାଥ ଉପସ୍ଥିତ ରହି ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣିଥିଲେ।
ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୧୭ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଜନଶୁଣାଣି ସ୍ଥଳରେ ହିଁ ୧୧ଟି ସମସ୍ୟାର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରି ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସବଡେଗା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଲୋକମାନେ ପକ୍କା ଘର, ବିଦ୍ୟୁତ ସଂଯୋଗୀକରଣ, ବ୍ରିଜ ନିର୍ମାଣ, କେନାଲ ଆଦି ନିର୍ମାଣ ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର ସ୍କୁଲ ସମସ୍ୟା ଉପରେ ପ୍ରଶାସନକୁ ଜଣାଇଥିଲେ।
ସୁନ୍ଦରଗଡ଼ ଜିଲ୍ଲାର କେତେକ ହିତାଧିକାରୀ ଚିକିତ୍ସା ପାଇଁ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ। ସେଥିମଧ୍ୟରୁ ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଏବଂ ଜଣଙ୍କୁ ରେଡକ୍ରସ ସୋସାଇଟିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଏହି ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ଦାଶରଥି ସରାବୁ, ପିଡି ଡୁଡା ତଥା ଡିଏମଏଫ ସିଇଓ ରୀତା ଡାଙ୍ଗ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଡେପୁଟି କଲେକ୍ଟର (ଜରୁରୀକାଳୀନ) କୁନ୍ତୀରାଣୀ ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ସବଡେଗା ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଜନଶୁଣାଣି କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ସବଡେଗା ବ୍ଲକରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବୁଲି ଦେଖିଥିଲେ। ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ରୋଗୀମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ।
ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି। ଜିଲ୍ଲାପାଳ ସ୍ଥାନୀୟ ଉପେନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିଥିଲେ। ଏହାସହ ବାଲା ମଡେଲ ଢାଞ୍ଚାରେ ନିର୍ମାଣ ହେଉଥିବା ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ।