ରାଉରକେଲା : ଶାରଦୀୟ ପୂଜାକୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ।। ‘ହକି’ ନେଇ ତୋରଣ କରିବାକୁ ପୂଜା କମିଟିକୁ ଅନୁରୋଧ କଲେ ଏଡିଏମ।

0 274

ରାଉରକେଲା, ୦୮ ସେପ୍ଟେମ୍ବର ୨୦୨୨; ଆଗାମୀ ଶାରଦୀୟ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ନେଇ ବିଭିନ୍ନ ପୂଜା କମିଟି ସହ ସ୍ଥାନୀୟ ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମନ୍ବୟ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ପାନପୋଷର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଉରକେଲା ଏଡିଏମ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଆଜିର ଏହି ବୈଠକରେ ବିଶେଷ କରି କେନ୍ଦ୍ରୀୟ ପୂଜା କମିଟି ଗଠନ ଉପରେ ଆଲୋଚନା ହୋଇଥିଲା। ଏହା ସହିତ ଚଳିତ ବର୍ଷର ପୂଜାରେ ହକିକୁ ନେଇ ତୋରଣ କରିବାକୁ ଅନୁରୋଧ କରିଛନ୍ତି ଏଡିଏମ ଶ୍ରୀ ମହାପାତ୍ର।
ଗତ କିଛି ବର୍ଷ ହେବ ବିଶେଷକରି ମହାମାରୀ କରୋନା କାରଣରୁ କେନ୍ଦ୍ରୀୟ ପୂଜା କମିଟି ସଦସ୍ୟ ଚୟନ ନେଇ ନିର୍ବାଚନ ହୋଇନଥିବା ବେଳେ ଚଳିତ ବର୍ଷ ନିର୍ବାଚନ କରାଇବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା। ଯାହାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବୀକାର କରାଯାଇଥିବା ବେଳେ ନିର୍ବାଚନ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ ଶ୍ରୀ ମହାପାତ୍ର। ଏହା ସହିତ ପୂଜା ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବିଶେଷ କରି ରାତ୍ରି ସମୟରେ ମାଆଙ୍କ ଦର୍ଶନ ନେଇ ସମୟ ଅବଧି ବଢ଼ାଇବା ସହ ପୂଜା ମଣ୍ଡପର ଆଲୋକୀକରଣ ନେଇ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ମଧ୍ୟ ଛାଡ଼ କରିବାକୁ ପୂଜା କମିଟିମାନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।
ଏତଦ୍ ବ୍ୟତୀତ ଆସନ୍ତା ବର୍ଷ ରାଉରକେଲା ହକି ବିଶ୍ବକପ୍ ହେବାକୁ ଯାଉଥିବା ବେଳେ ସହରରେ ହକିର ମାହୋଲ ସୃଷ୍ଟି କରିବା ନେଇ ହକିକୁ ନେଇ କିଛି ତୋରଣ ପ୍ରସ୍ତୁତ କରିବାକୁ ଅନୁରୋଧ କରି ଏଡିଏମ ଶ୍ରୀ ମହାପାତ୍ର। ଯାହାକୁ ବୈଠକରେ ଉପସ୍ଥିତ ସମସ୍ତ ପୂଜା କମିଟି କର୍ମକର୍ତ୍ତା ସ୍ବାଗତ କରିଛନ୍ତି। ତେବେ କେନ୍ଦ୍ରୀୟ ପୂଜା କମିଟି ଗଠନ ପରେ ପୁଣି ଥରେ ବୈଠକ କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଦାରଣ କରାଯିବ ନେଇ ବୈଠକରେ ନିଷ୍ପତ୍ତି ହୋଇଛି।
ଆଜିର ଏହି ବୈଠକରେ ରାଉରକେଲା ଏଡିଏମ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ସମେତ ଉପ ଆୟୁକ୍ତ ସୁଧାଂଶୁ ଭୋଇ,ପାନପୋଷ ଉପ ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ଅତିରିକ୍ତ ଏସ୍ପି ବିକ୍ରମ କେଶରୀ ଭୋଇ, ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟର ଜେନରାଲ ମ୍ୟାନେଜର (ଇନଚାର୍ଜ, ସହର ସେବା) ପ୍ରଫୁଲ୍ଲ କୁମାର ଦାସ, ଜେନରାଲ ମ୍ୟାନେଜର (ଇନଚାର୍ଜ, ସହର ଇଞ୍ଜିନିୟରିଂ) ବିଜୟ କୁମାର ଜୋଜୋ ଉପସ୍ଥିତ ଥିଲେ।

Leave A Reply

Your email address will not be published.