-କୋଭିଡ୍ ଯୋଦ୍ଧା ଓ ଆର୍ଏମ୍ସି କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
-କୋଭିଡ୍ ହେଲ୍ପଲାଇନ୍ ହେଲା ରାଉରକେଲା ହେଲ୍ପଲାଇନ୍
ରାଉରକେଲା, ୩୧ ଅଗଷ୍ଟ ୨୦୨୧: ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ୬୯ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ଏହି ଅବସରରେ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଷ୍ଟେସନ ରୋଡଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିଥିଲେ। ଆୟୋଜିତ ସଭାରେ ଆର୍ଏମ୍ସିର କର୍ମଚାରୀ ଓ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।
“ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରାଉରକେଲାବାସୀଙ୍କୁ ଶୁଭେଚ୍ଛା। ସେମାନେ ଆମକୁ କୋଭିଡ୍ ସମୟରେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ବହୁ ସହଯୋଗ କରିଛନ୍ତି। ରାଉରକେଲା ମହାନଗର ନିଗମ ପକ୍ଷରୁ ସମସ୍ତ ସେବା କିଭଳି ଭଲ ଭାବରେ କାର୍ଯ୍ୟକାରୀ ହେବ ଓ ଲୋକଙ୍କ ପାଖରେ ପହଂଚିପାରିବ ଏବଂ ସେମାନଙ୍କର କୌଣସି ଅଭିଯୋଗ ଥିଲେ ସେସବୁର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦିଆଯିବ। ଉନ୍ନତ ଓ ଅଭିନବ ସେବା ପ୍ରଦାନ କରାଯିବା ସହ ସେଥିରେ ସ୍ୱଚ୍ଛତା ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ”, କହିଛନ୍ତି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ଏହି ଅବସରରେ କୋଭିଡ୍ ସମୟରେ କାମ କରୁଥିବା ନିଶୁଳ୍କ ୨୪ ଘଣ୍ଟିଆ ହେଲ୍ପଲାଇନ୍କୁ ସହରବାସୀଙ୍କ ସୁବିଧା ପାଇଁ ଏବେ ରାଉରକେଲା ହେଲ୍ପଲାଇନରେ ପରିଣତ କରାଯାଇଛି। ଏହି ହେଲ୍ପଲାଇନ୍ ନମ୍ବରକୁ କଲ୍ କରି ଲୋକେ ମହାନଗର ନିଗମ ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ, ସେବା ସମ୍ପର୍କରେ ସୂଚନା ପାଇପାରିବେ କିମ୍ବା ନିଜର ସମସ୍ୟା ଜଣାଇପାରିବେ।
ଟ୍ରେଡ୍ ଲାଇସେନ୍ସ, ଦୋକାନ ଟ୍ୟାକ୍ସ, ହୋଲଡିଂ ଟ୍ୟାକ୍ସ, ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର, ମଶା ଉପଦ୍ରବ ହ୍ରାସ, ବୁଲା ଗାଈଗୋରୁଙ୍କୁ ନିୟନ୍ତ୍ରଣ, ରାସ୍ତା ଓ ଡ୍ରେନ୍ ସଫେଇ, ବିବାହ ପଞ୍ଜୀକରଣ, ସିଉରେଜ୍ ସିଷ୍ଟମ, ଷ୍ଟ୍ରିଟ୍ ଲାଇଟ ଭଳି ବିଭିନ୍ନ ସେବା ସମ୍ପର୍କରେ ଜାଣିବା ପାଇଁ ଲୋକେ ଏହି ହେଲ୍ପଲାଇନ୍ ନମ୍ବରରେ କଲ୍ କରିପାରିବେ।
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛେଣ୍ଡ୍ ସ୍ଥିତ ବୀର ସୁରେନ୍ଦ୍ର ସାଏ ମାର୍କେଟ କମ୍ପ୍ଲେକ୍ସଠାରେ ଜନ ସଚେତନତା ପାଇଁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବଜାର ସଫେଇ କରାଯିବା ସହ ବ୍ୟବସାୟୀମାନଙ୍କୁ ସ୍ୱଚ୍ଛତା ନେଇ ସଚେତନ କରାଯାଇଥିଲା। କମିଶନର ଦିବ୍ୟଜ୍ୟୋତି ପରିଡ଼ା ବଜାର କମିଟି ମେମ୍ବରମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।
ଏହି ଅବସରରେ ଡେପୁଟି କମିଶନର ସୁଧାଂଶୁ ଭୋଇ, ଡକ୍ଟର ଗୌରବମୟ ପ୍ରଧାନ, ସହକାରୀ କମିଶନର ନରେନ୍ଦ୍ର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ମୀନକେତନ ସାହୁ, ଆରଏମସିର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।