ହତ୍ୟାର ୪ ଦିନ ପରେ ବନ୍ଦ ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର।। ଅଭିଯୁକ୍ତ ସ୍ୱାମୀ ଗିରଫ।

0 238

ହତ୍ୟାର ୪ ଦିନ ପରେ ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଜବତ କରିଛି ପ୍ଲାଣ୍ଟପାଇଟ୍‌ ପୁଲିସ। ମୃତ ମହିଳା ଜଣକ ହେଲେ ସେକ୍ଟର-୨୧ ରାଉରକେଲା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ନିକଟ ଝରିଆବାହାଲ ବସ୍ତିର ସୁକୁମଣି ବଡାଇକ। ମହିଳାଙ୍କୁ ତାଙ୍କ ସ୍ବାମୀ ପିଟି ପିଟି ହତ୍ୟା କରିଥିବା ଅଭି‌ଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି। ଏହାସହ ଅଭିଯୁକ୍ତ ସ୍ବାମୀ ଶ୍ୟାମ ସୁନ୍ଦର ବଡାଇକକୁ ଥାନାରେ ଅଟକ ରଖାଯାଇଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଝରିଆବାହାଲ ବସ୍ତିରେ ଶ୍ୟାମସୁନ୍ଦର ବଡାଇକ ତାଙ୍କ ପତ୍ନୀ ସୁକୁମଣିଙ୍କ ସହ ରହନ୍ତି। ଶ୍ୟାମ ସୁନ୍ଦର ଓଡ଼ିଶା ବନ ଉନ୍ନୟନ ନିଗମରେ ଶ୍ରମିକ ଭାବେ କାମ କରନ୍ତି। ସମ୍ପର୍କୀୟଙ୍କ କହିବାନୁଯା‌ୟୀ ଗତ ଶନିବାର କୌଣସି କଥାକୁ କେନ୍ଦ୍ରକରି ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସ୍ବାମୀ ଶ୍ୟାମ ସୁନ୍ଦର ତାଙ୍କ ପତ୍ନୀଙ୍କୁ ପିଟି ପିଟି ମାରି ଦେଇଥିଲେ। ମାରିବା ପରେ ଘରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଧରାପଡିଯିବା ଭୟରେ ପତ୍ନୀଙ୍କ ଶବକୁ ଘରେ ତାଲା ପକାଇ ବନ ଉନ୍ନୟନ ଅଫିସ୍‌ର କାର୍ଯ୍ୟରତ ଜଗୁଆଳିଙ୍କ ଘରେ ଶୋଉଥିଲେ। ଜଗୁଆଳିଙ୍କ ଘର ଖାଲିଥିବାରୁ ସେଠାରେ ସେ ରହିଯାଇଥିଲେ। ସାଧାରଣ ଲୋକଙ୍କ ପରି ପ୍ରତିଦିନ ବନ ଉନ୍ନୟନ ବିଭାଗକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିଲେ। କିନ୍ତୁ ଘରକୁ ଆସୁ ନଥିଲେ। ସେପଟେ ଘର ବାହାର ପଟୁ ବନ୍ଦ ଥିବାରୁ ସୁକୁମଣିଙ୍କ ମୃତ୍ୟୁ ସମ୍ପର୍କରେ କେହି କିଛି ଜାଣି ପାରି ନଥିଲେ। ବୁଧବାର ଅପରାହ୍ନରେ ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବା ପରେ ପଡୋଶୀଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ସେମାନେ ପ୍ଲାଣ୍ଟସାଇଟ୍‌ ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରି ପୋଷ୍ଟ ମର୍ଟମ ଲାଗି ପଠାଇଥିଲେ। ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଥାନାକୁ ଆଣି ମାମଲାର ତଦନ୍ତ କରିବା ପରେ ତାଙ୍କୁ ଗିରଫ କରିଛନ୍ତି। ଆଜି ଅଭିଯୁକ୍ତ ଶ୍ୟାମସୁନ୍ଦରଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.