ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ମୃତ୍ୟୁ ମାମଲା।। ରାହୁଲ ଙ୍କୁ ନ୍ୟାୟ ଦେବାକୁ ଏସ ପି ଙ୍କୁ ଭେଟିଲେ ରାଉରକେଲା ବଣିକ ସଙ୍ଘ ପ୍ରତିନିଧି।
ରାଉରକେଲା ସିଭିଲ ଟାଉନଶିପ ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ ଜାମସେଦପୁର ରେ କୋଠାରୁ ପଡି ମୃତ୍ୟୁ ମାମଲାରେ ରାହୁଲଙ୍କ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଛି। ରାହୁଲଙ୍କ ମୃତ୍ୟୁ ଲାଗି ତାଙ୍କ ଶ୍ୱଶୁର ଘର ଲୋକମାନେ ଦାୟୀ ବୋଲି ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ ଏହି ସନ୍ଦର୍ଭ ରେ ଶୁକ୍ରବାର ଦିନ ରାଉରକେଲା ଚେମ୍ବର ଅଫ କମର୍ସର ଏକ ପ୍ରତିନିଧି ମଣ୍ଡଳ ରାଉରକେଲା ଏସପି ମୁକେଶ କୁମାର ଭାମୁଙ୍କୁ ଭେଟି ଏହି ଘଟଣାରେ ଜଡ଼ିତ ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରିବାକୁ ନିବେଦନ କରିଥିଲେ। ଏହି ଟିମ ରେ ବଣିକ ସଙ୍ଘ ର ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ , ସମ୍ପାଦକ ସୁନୀଲ କୟାଲ , ଉପାଧ୍ୟକ୍ଷ ନରେଶ ଅର୍ଯ୍ୟା ପ୍ରମୁଖ ସାମିଲ ଥିଲେ। ପରେ ବଣିକ ସଂଘର ପ୍ରତିନିଧି ମଣ୍ଡଳ ସିଭିଲ ଟାଉନଶିପ ରେ ରହୁଥିବା ରାହୁଲ ଙ୍କ ପିତା ବଜରଙ୍ଗ ଲାଲ ଅଗ୍ରୱାଲ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ଭେଟି ସମବେଦନା ଜ୍ଞାପନ ସହ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ।
ସୂଚନାଯୋଗ୍ୟ ଯେ ମେ ୫ ତାରିଖ ଗୁରୁବାର ଦିନ ଜାମସେଦପୁର ର ବିଷ୍ଣୁପୁର ଅଞ୍ଚଳର ଏକ ହୋଟେଲ ଛାତ ଉପରୁ ରାହୁଲ ପଡି ମୃତ୍ୟୁ ବରଣ କରିଥିଲେ। ତାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ କୁହାଯାଉଛି। କାରଣ ମୃତ୍ୟୁ ପୂର୍ବରୁ ରାହୁଲ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ତେବେ ରାହୁଲ ଜାମସେଦପୁର ରେ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ପାରିବାରିକ କଳହ ଯୋଗୁଁ ତାଙ୍କ ସ୍ତ୍ରୀ ପିଲାମାନଙ୍କୁ ନେଇ ଜାମସେଦପୁର ରେ ବାପାଙ୍କ ଘରେ ରହୁଥିଲେ। ଏ ବାବଦରେ ଏକ କେଶ ମଧ୍ୟ ଚାଲିଛି। ତେବେ ଶ୍ୱଶୁର ଘର ତରଫରୁ ରାହୁଲ ଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହୋଇଛି ତାଙ୍କ ପରିବାର ପକ୍ଷରୁ। ରାହୁଲଙ୍କ ଶେଷ ଭିଡିଓ ବାର୍ତ୍ତା କୁ ଭିତ୍ତି କରି ତାଙ୍କ ପରିବାର ପକ୍ଷରୁ ଥାନାରେ ଏତେଲା ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି। ରାହୁଲ ଙ୍କୁ ନ୍ୟାୟ ଦେବା ଲାଗି ଏବେ ରାଉରକେଲା ରେ ବିଭିନ୍ନ ସଂଗଠନ ଅଣ୍ଟା ଭିଡୁଥିବା ସୂଚନା ମିଳୁଛି।