ନକଲି ସରକାରୀ ଡାକ୍ତରଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ।। ଦଣ୍ଡ ବିଧାନ କଲେ ଜେ ଏମ୍ ଏଫ ସି , ସୁନ୍ଦରଗଡ଼।। ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ।

0 557

ନକଲି ସରକାରୀ ଡାକ୍ତରଙ୍କୁ ଆଜି ୫ ବର୍ଷ ଦଣ୍ଡ ବିଧାନ କରିଛନ୍ତି ସୁନ୍ଦରଗଡ ଜେ ଏମ୍ ଏଫ ସି କୋର୍ଟ । ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଆଉ ଦୁଇ ମାସ ଦଣ୍ଡ ବିଧାନ କରିଛନ୍ତି

ସୂଚନା ଅନୁଯାୟୀ ପଦ୍ମନାଭ ମୁଖୀ କାରୱା ନାମକ ଜଣେ ବ୍ୟକ୍ତି ଜାଲ ସାର୍ଟିଫିକେଟ ଜରିଆରେ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ତରଫରୁ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଅବଶ୍ୟ ସେ ସ୍ଥାୟୀ ଡାକ୍ତର ଭାବେ ନିଯୁକ୍ତି ନପାଇ ଠିକା ଡାକ୍ତର ଭାବେ ୨୦୧୯ ମସିହାରେ ନିଯୁକ୍ତି ପାଇଥିଲେ। ଏ ବାବଦରେ ପ୍ରତିମାସ ସରକାରୀ ତହବିଲ ରୁ ଦରମା ମଧ୍ୟ ପାଉଥିଲେ। ମାତ୍ର ତାଙ୍କ ଚାଲିଚଳଣ ଏବଂ ଚିକିତ୍ସା ପ୍ରଣାଳୀ ଉପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟ ମାନେ ସନ୍ଦେହ ପ୍ରକାଶ କରିଥିଲେ । ଏ ବାବଦରେ ଅଭିଯୋଗ ପାଇବାପରେ ସୁନ୍ଦରଗଡ଼ ସିଡିଏମଓ ତଦନ୍ତ ଆରମ୍ଭ କରିଥିଲେ । ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରୀ କରିବା ପୂର୍ବରୁ ପଦ୍ମନାଭ ରାଉରକେଲା ର ହାଇ ଟେକ ମେଡ଼ିକାଲ କଲେଜ ଏବଂ ବନ୍ଧମୁଣ୍ଡା ଡାକ୍ତର ଖାନାରେ ମଧ୍ୟ ନକଲି ସାର୍ଟିଫିକେଟ ଦେଖାଇ ଚାକିରୀ କରିଥିବା ତଦନ୍ତରୁ ଜଣା ପଡିଥିଲା । ସବୁ ଦିଗରୁ ତଦନ୍ତ ପରେ ସିଡିଏମଓ ଏ ବାବଦରେ ସୁନ୍ଦରଗଡ଼ ଟାଉନ ଥାନାରେ ଏତେଲା ଦେଇଥିଲେ । ସୁନ୍ଦରଗଡ଼ କ୍ରାଇମ ଡ଼ିଏସପି ପ୍ରଭାତ କୁମାର ବିଶ୍ବାଳ ତଦନ୍ତ କରିବାପରେ ନକଲି ଡାକ୍ତର ପଦ୍ମନାଭଙ୍କୁ ଭାରତୀୟ ଦଣ୍ଡ ବିଧାନ ଧାରା ୪୨୦ , ୪୬୮ , ୪୭୧ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ୬ ମାସ ଜେଲ ରେ ରହିବାପରେ ପଦ୍ମନାଭ ଜାମିନ ରେ ଆସିଥିଲେ । ଆଜି ସୁନ୍ଦରଗଡ ଜେ ଏମ୍ ଏଫ ସି ଏହି ମାମଲାରେ ଦଣ୍ଡବିଧାନ କରିବାପରେ ନକଲି ଡାକ୍ତର ପଦ୍ମନାଭ ଙ୍କୁ ପୁଣି ଜେଲ ପଠାଇ ଦିଆଯାଇଛି ।

Leave A Reply

Your email address will not be published.