ରାଉରକେଲାର ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ସହ ଚାରି ଗିରଫ।। ୧୩ କୋଟି ୭୫ ଲକ୍ଷ ଟଙ୍କା ଜିଏସଟି ଠକେଇ ଅଭିଯୋଗରେ ଗିରଫ କଲା ସାଇବର ଥାନା ପୋଲିସ।।

0 994

ରାଉରକେଲା:୧୩ କୋଟି ୭୫ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ ମାମଲାରେ ୨ ଜଣ ବ୍ୟାଙ୍କ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୁଲିସ। ଗତକାଲି ସମ୍ବଲପୁରରୁ ଆସିଥିବା ପୁଲିସ ଟିମ୍‌ ରାଉରକେଲାର ସ୍ଥାନୀୟ ପୁଲିସ ସହାୟତାରେ ୪ ଜଣଙ୍କୁ ଗିରଫ କରି ସମ୍ବଲପୁର ନେଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଉଦିତନଗର ସ୍ଥିତ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କର ସହକାରୀ ଶାଖା ପରିଚାଳକ ଅକ୍ଷୟ କୁମାର ନାୟକ, ସିନିୟର ଆସିଷ୍ଟାଣ୍ଟ ପି.କେ.ଜେନା ଏବଂ ଅନ୍ୟ ଦୁଇ ବ୍ୟବସାୟୀ ସୁବାସ ସ୍ବାଇଁ ଓ ଅମିତ ବେରୀୱାଲ।


ସୂଚନା ଅନୁଯାୟୀ ସମ୍ବଲପୁରର ଅଚ୍ୟୁତାନନ୍ଦ ବଢ଼େଇ ନାମକ ଜଣେ କେନ୍ଦ୍ର ସରକାର କର୍ମଚାରୀଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲାଯାଇ ଏହି ଠକେଇ ହୋଇଛି। ଏହି ଆକାଉଣ୍ଟ ରାଉରକେଲା ଅର୍ବନ କୋଅପରେଟିଭ ବ୍ୟାଙ୍କ ରେ ଖୋଲାଯାଇ କାରବାର ଚାଲିଥିଲା। ଏ ବାବଦରେ ଅଚ୍ୟୁତାନନ୍ଦ ଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଆସିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲାଯାଇ ଏହି କାରବାର ହେଉଥିବା ଜାଣିପାରି ସେ ସମ୍ବଲପୁର ସାଇବର ଥାନାରେ ଏତେଲା ଦେଇଥିଲେ। ସାଇବର ଥାନା ପୋଲିସ ଏବଂ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରି ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ସହ ଚାରିଜଣ ଙ୍କୁ ଗିରଫ କରିଛନ୍ତି। ପୋଲିସ ଏକ ଦାମୀ କାର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ଼ପତ୍ର ଜବତ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଉରକେଲା ଅର୍ବନ କୋଅପରେଟିଭ ବ୍ୟାଙ୍କରେ ବହୁ ଜାଲ ଆକାଉଣ୍ଟ ଖୋଲାଯାଇ ଜିଏସଟି ଠକେଇ ହୋଇ ଆସୁଥିବା ଅଭିଯୋଗ ଆଗରୁ ହୋଇଛି। ସମସ୍ତ କାରବାର ର ତଦନ୍ତ ସାଇବର ପୋଲିସ ଏବଂ ଅର୍ଥନୈତିକ ଅପରାଧ ଶାଖା କରୁଛି ।

Leave A Reply

Your email address will not be published.