ଭୁବନେଶ୍ବର : ଏମ୍ସରେ ଆରମ୍ଭ ହୋଇଛି ଏକମୋ ଚିକିତ୍ସା। ଲଙ୍ଗ୍ସ ଲାଭେଜ (ଫୁସ୍ଫୁସ୍) ରୋଗରେ ପୀଡ଼ିତ ଢେଙ୍କାନାଳର ସୁନୀଲ ସାହୁଙ୍କ ୧୧ ମାସର ଶିଶୁ କନ୍ୟା ଅର୍ପିତା ପ୍ରିୟଦର୍ଶିନୀଙ୍କ ଶରୀରରେ ଏହି ଏକ୍ମୋ ବା କୃତ୍ରିମ ଫୁସ୍ଫୁସ୍ ଲଗାଯାଇ ଚିକିତ୍ସା ଆରମ୍ଭ ହୋଇଛି। ଏମ୍ସର ସ୍ବତନ୍ତ୍ର ବିଶେଷଜ୍ଞ ଦଳ ଏହି ଚିକିତ୍ସା କରୁଛନ୍ତି। ଏଥିପାଇଁ ପରିବାରକୁ କୌଣସି ଖର୍ଚ କରିବାକୁ ପଡ଼ିନାହିଁ। ଏଥିସହିତ ରାଜ୍ୟରେ ପ୍ରଥମ ଥର ପାଇଁ କୌଣସି ସରକାରୀ ଡାକ୍ତରଖାନାରେ ଶିଶୁଙ୍କ ଶରୀରରେ ଏକ୍ମୋ ଲଗାଇ ଚିକିତ୍ସା କରାଯାଇଛି।
ଅର୍ପିତାର ବାପା ସୁନୀଲଙ୍କ କହିବା ଅନୁଯାୟୀ, ତାଙ୍କ ଝିଅ ଅର୍ପିତାକୁ ଜ୍ବର ହେବାରୁ ଗତ ଜୁଲାଇ ୨୧ ତାରିଖରେ ଏସ୍ସିବିରେ ଭର୍ତ୍ତି କରାଇଥିଲେ। ଏହି ସମୟରେ ତାକୁ ପ୍ରଥମେ କୋଭିଡ୍ ହୋଇଥିବା ସନ୍ଦେହ କରାଯାଇଥିଲା। କିନ୍ତୁ ପରେ ସେ ନିମୋନିଆରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ଆବଶ୍ୟକ ଚିକିତ୍ସା ପରେ ୩ ତାରିଖରେ ତାକୁ ଡିସଚାର୍ଜ କରାଗଲା। କିନ୍ତୁ ଘରକୁ ଆସିବା ପରେ ପୁଣିଥରେ ସେହି ସମସ୍ୟା ଦେବାରୁ ସେ ଅର୍ପିତାକୁ କିମ୍ସରେ ଭର୍ତ୍ତି କରାଇଥିଲେ। ମାତ୍ର କିମ୍ସ ପକ୍ଷରୁ ଏମ୍ସକୁ ରେଫର କରାଯାଇଥିଲା। ଏଠାରେ ସେ ଶିଶୁରୋଗ ବିଭାଗରେ ଚିକିତ୍ସା ହେବା ପରେ ନିଃଶ୍ବାସରେ ଅସୁବିଧା ହେଉଥିବା ଜଣା ପଡ଼ିଥିଲା। ତେଣୁ ଏଥିପାଇଁ ପ୍ରଥମେ ଡାଏଲିସିସ୍ ପରେ ଆଜି ତା’ଠାରେ ଏକ୍ମୋ ଲଗାଯାଇଛି। ଏକ ଡାକ୍ତରୀ ବିଶେଷଜ୍ଞ ଦଳ ଏହି ଚିକିତ୍ସା କରୁଛନ୍ତି। ଏମ୍ସର ଏହି ବିଶେଷଜ୍ଞ ଦଳରେ ଡା.ସତ୍ୟଜିତ ମିଶ୍ର, ଡା. କ୍ରିଷ୍ଣା ଗୁଲା, ଡା.ବିକ୍ରମ, ଡ.ସିଦ୍ଧାର୍ଥ ସାଠିଆ, ଡା.ସତ୍ୟପ୍ରିୟ ମହାନ୍ତି, ଡା.ରୁଦ୍ର ପ୍ରତାପ ମହାପାତ୍ର, ଡା.ମନୋଜ ମହାନ୍ତି, ଡା.ବିକାଶ ତ୍ରିପାଠୀ, ଏସଆର ଡ.ପ୍ରିୟଙ୍କା, ଡା. ସଂଜୀବ ପ୍ରମୁଖ ରହିଛନ୍ତି। ଏହା ପୂର୍ବରୁ ଏମ୍ସରେ ଆଉ ଜଣେ ବ୍ୟକ୍ତିଙ୍କ ଏକ୍ମୋ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଇଥିଲା, ମାତ୍ର ଶେଷ ମୁହୂର୍ତ୍ତରେ ଏହା ବାତିଲ କରାଯାଇ ଅର୍ପିତା ଶୀରରରେ ଲଗାଯାଇଥିଲା।