ରାଜ୍ୟରେ ଆଜି ଖୋଲିଲା ସ୍କୁଲ।। ଛାତ୍ରଛାତ୍ରୀଙ୍କ ଖୁସିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁସି।। ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଦେଲେ ପରାମର୍ଶ।
ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ୮ମ ଠାରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ୧ମରୁ ୭ମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି। ସ୍କୁଲ ଖୋଲିବା ହେଉଛି, ସ୍ବଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି ସେ କହିଛନ୍ତି
। ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ପିଲାମାନେ, ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ। ସାଙ୍ଗସାଥି ଖେଳକୁଦ ସବୁ ବନ୍ଦ ଥିଲା। ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମ ମାନଙ୍କୁ ବହୁତ ଖୁସି ଦେଇଛି।ତୁମ ମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି। ପାଠପଢା ସହିତ ସାଙ୍ଗସାଥି, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ। ଆମେ ପୁଣି ଆଗକୁ ବଢିବା ବୋଲି ସେ ପିଲାମାନଙ୍କୁ ଭରସା ଦେଇଛନ୍ତି।

ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଲାମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ସମସ୍ତେ ତୁମ ସାଥିରେ ଅଛୁ। କିନ୍ତୁ ତୁମକୁ ସତର୍କ ରହିବାକୁ ହେବ। ତୁମ ମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ ଗାଇଡଲାଇନ ଠିକ୍ ଭାବରେ ପାଳନ କରିବ। ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍ ଭାବରେ ପିନ୍ଧିବ। ବାରମ୍ବାର ସାବୁନରେ ହାତ ଧୋଇବ।