ଜିତେନ୍ଦ୍ର ଶା ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଗିରଫ ।ଗିରଫ ସଂଖ୍ୟା ଦୁଇ କୁ ବୃଦ୍ଧି ପୂର୍ବରୁ ଅମୀର ଖାନ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲେ ।
ରାଉରକେଲା ରେଳବାଇ କଲୋନୀ ରେ ଗତ ଦଶ ତାରିଖରେ ଘଟିଥିବା ଜିତେନ୍ଦ୍ର କୁମାର ଶାହ ଓରଫ ଗୋରେ ହତ୍ୟାକାଣ୍ଡ ମାମଲାରେ ପୋଲିସ ଆଜି ଆଉ ଜଣେ ଅଭଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମହମ୍ମଦ ସାହବାଜ ଓରଫ ଫୁକୁନି ନିକଟରୁ ହତ୍ୟା ରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ର କୁ ପୋଲିସ ଜବତ କରିଛି । ପୂର୍ବରୁ ଏଗାର ତାରିଖ ଦିନ ପୋଲିସ ଅମୀର ଖାନ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫଦାରୀ ଦିନ ପୋଲିସ ଅମୀର ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ଏକ ଜୀବନ୍ତ ଗୁଳି ମଧ୍ୟ ଜବତ କରିଥିଲେ । ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣି ପାରିଥିଲେ ମଧ୍ୟ ଏହି ହତ୍ୟା ଷଢ଼ଯନ୍ତ୍ର ରେ ଅନ୍ୟ କେହି ଅଛନ୍ତି କି ନାହିଁ ତା ପୋଲିସ ତଦନ୍ତ କରୁଛି । ଏଫ ଆଇ ଆର ରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇଜଣ ଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସ ପି ମୁକେଶ କୁମାର ଭାମୁ କହିଛନ୍ତି ।
ସୂଚନା ଯୋଗ୍ୟ ଯେ ଗତ 10 ସେପ୍ଟେମ୍ବର ସନ୍ଧ୍ୟାରେ ଜିତେନ୍ଦ୍ର ଶାହ ଓରଫ ଗୋରେ ନାମକ ଜଣେ ଯୁବକଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଛି ବୋଲି କହିଛି । ହତ୍ୟାକାଣ୍ଡ ପରେ ବିଭିନ୍ନ ସମ୍ବେଦିନଶୀଳ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।