ରାଉରକେଲା /ସୁନ୍ଦରଗଡ଼ : ରାଉରକେଲା , ସୁନ୍ଦରଗଡ଼ରେ ବେଆଇନ୍ ଅସ୍ତ୍ରଶସ୍ତ୍ର ଚାଲାଣକାରୀ ସକ୍ରିୟ।। ନେଟୱାର୍କ ମୂଳପୋଛ କରିବାକୁ ପୋଲିସ୍ ର ପ୍ଲାନ୍।
ରାଉରକେଲାରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବେଆଇନ ବନ୍ଧୁକ ଯୋଗାଣ। ନେଟୱାର୍କ ମୂଳପୋଛ କରିବା ଲାଗି ପୋଲିସ୍ ର ଠୋସ୍ କାର୍ଯ୍ୟନୁଷ୍ଠାନ ଜାରି।
ରାଉରକେଲା : ୨୫/୧୧
(ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ହୋଇ ଉଠିଛି ବେଆଇନ ଅସ୍ତ୍ରଶସ୍ତ୍ର କାରବାରୀଙ୍କ ନେଟୱର୍କ। ଏଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବନ୍ଧୁକ ଯୋଗାଣ ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଏବେ ପୋଲିସର ଚିନ୍ତା ବଢ଼ିଛି। ସୋନପୁର ଓ ଯାଜପୁରରେ ଘଟିଥିବା ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ରାଉରକେଲାରୁ ଯାଇଥିବା ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟପଟେ ବଡ଼ଗାଁ ପୋଲିସ ଏକ ବଡ଼ ଅସ୍ତ୍ରଶସ୍ତ୍ର ରାକେଟର ପର୍ଦ୍ଦାଫାସ କରି ୬ ଜଣଙ୍କୁ ଗିରଫ କରିଛି।
ସୁନ୍ଦରଗଡ଼ ଜିଲ୍ଲାରୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବେଆଇନ ବନ୍ଧୁକ ଯୋଗାଣ ହେଉଥିବା ଘଟଣା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବିହାରର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣି ରାଉରକେଲା ଓ ଭୁବନେଶ୍ୱରକୁ ଯୋଗାଣ କରାଯାଉଥିବା ସୂଚନା ମିଳିଛି।
ସୋନପୁରରେ ପ୍ରେମିକ ଜରିଆରେ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା ହେଉ କିମ୍ବା ଯାଜପୁରରେ ସୁପାରି ଦେଇ ସ୍ୱାମୀଙ୍କୁ ହତ୍ୟା ଘଟଣା, ଏହି ଦୁଇଟି ମାମଲାରେ ବ୍ୟବହୃତ ପିସ୍ତଲ ରାଉରକେଲାରୁ ଯୋଗାଣ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି।
ଏହାକୁ ନେଇ ରାଉରକେଲା ପୋଲିସ ଅସ୍ତ୍ରଶସ୍ତ୍ର କାରବାରରେ ସମ୍ପୃକ୍ତ ପେସାଦାର ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି। ନିକଟରେ ନଭେମ୍ବର ୨୦ ତାରିଖରେ ଦୁଇ ଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିବା ସହ ଦୁଇଟି ବନ୍ଧୁକ ଜବତ କରିଥିଲା ପୋଲିସ।
ସେହିପରି ସେପ୍ଟେମ୍ବର ୧୬ ତାରିଖରେ ବିଶ୍ରା ପୋଲିସ ଦୁଇଟି ବନ୍ଧୁକ ଜବତ କରି ଜଣଙ୍କୁ ଗିରଫ କରିଥିଲା। ଅଗଷ୍ଟ ମାସରେ ସର୍କିଟ ହାଉସ୍ରୁ ପେସାଦାର ଅପରାଧୀଙ୍କୁ ଧରିବା ସହ ୭ଟି ପିସ୍ତଲ ଜବତ କରିଥିଲା। ଏପରିକି ୨୦୨୫ ମସିହାରେ ପ୍ଲାଣ୍ଟସାଇଟ୍ ପୋଲିସ ୧୦ଟି ଏବଂ ବନ୍ଧମୁଣ୍ଡା ପୋଲିସ ଦୁଇଟି ବେଆଇନ ପିସ୍ତଲ ଜବତ କରିଥିଲା।
ଅନ୍ୟପଟେ ଗତକାଲି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ବେଆଇନ ଅସ୍ତ୍ରଶସ୍ତ୍ର ରାକେଟର ମାଷ୍ଟରମାଇଣ୍ଡ ଓ ଅସ୍ତ୍ର ଯୋଗାଣକାରୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବେଆଇନ ବନ୍ଧୁକ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି।
ତେବେ ରାଉରକେଲା ଓ ସୁନ୍ଦରଗଡ଼ରୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବେଆଇନ ବନ୍ଧୁକ ଯୋଗାଣର ନେଟୱର୍କକୁ ମୂଳପୋଛ କରିବା ପାଇଁ ପୋଲିସ ଏବେ ତତ୍ପର ହୋଇଉଠିଛି। ଆଗକୁ ଏହି ତଦନ୍ତରୁ ଆହୁରି କେଉଁ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ନଜର ରହିଛି।