ରାଉରକେଲା : ଝିରିପାଣି ଜୁଏଲରି ଦୋକାନ ଲୁଟ୍ ର ପର୍ଦ୍ଦାଫାସ।। ଜଣେ ଗିରଫ।। ୭ ଅଭିଯୁକ୍ତ ଚିହ୍ନଟ।। ସୁନା , ରୂପା ଗହଣା ଜବତ।
ରାଉରକେଲା ପୋଲିସକୁ। ମିଳିଛି ବଡ଼ ସଫଳତା।
ଝିରିପାଣି ସ୍ଥିତ ମା’ ତାରିଣୀ ଜୁଏଲାରୀ ଦୋକାନରୁ ହୋଇଥିବା ବଡ଼ ଧରଣର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ଝାଡ଼ଖଣ୍ଡରୁ ମହମ୍ମଦ ଅଜହର ଅଲ୍ଲୀ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ।
ସୂଚନା ଅନୁଯାୟୀ, ଗତ ଫେବୃଆରୀ ୨୫ ତାରିଖ ରାତିରେ ଦୁର୍ବୃତ୍ତମାନେ ଦୋକାନର କାନ୍ଥ ଖୋଳି ଓ ଗ୍ୟାସ୍ କଟର ବ୍ୟବହାର କରି ଭିତରେ ପଶିଥିଲେ। ସେଠାରୁ ପ୍ରାୟ ୫୦୦ ଗ୍ରାମ ସୁନା ଓ ୧୫ କିଲୋଗ୍ରାମ ରୁପା ଅଳଙ୍କାର ଲୁଟ୍ କରିଥିଲେ।
ସିସିଟିଭି ଫୁଟେଜ୍ ଓ ବୈଷୟିକ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇ ଓ ବିହାର ପୋଲିସ ଅନ୍ୟ ଚୋରି ମାମଲାରେ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଅଜହର ଅଲ୍ଲୀଙ୍କ ନିକଟରୁ ସୁନା କାନଫୁଲ, ମୁଦି, ଲକେଟ୍ ଏବଂ ରୁପା ପାଉଁଜି, ଚେନ୍, ବ୍ରେସଲେଟ୍ ସମେତ ଅନ୍ୟାନ୍ୟ ଅଳଙ୍କାର ଜବତ ହୋଇଛି। ଘଟଣାସ୍ଥଳରୁ ଗ୍ୟାସ୍ ସିଲିଣ୍ଡର, କଟିଂ ଉପକରଣ ଓ ଲୁହା ରଡ୍ ମଧ୍ୟ ଜବତ କରାଯାଇଛି।
ପୋଲିସର ତଦନ୍ତରୁ ଏହି ଗ୍ୟାଙ୍ଗର ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ବିହାରରେ ମଧ୍ୟ ଜୁଏଲାରୀ ଦୋକାନ ଚୋରି ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ରାଉରକେଲା ପୋଲିସର ତଦନ୍ତ ଜାରି ରହିଛି।