ରାଜଗାଙ୍ଗପୁର : ରାଜଗାଙ୍ଗପୁରରେ ରାସ୍ତା ଦୁରାବସ୍ଥାକୁ ନେଇ ବିଜେପିର ରଣହୁଙ୍କାର।। ରେଳ ଷ୍ଟେସନ ସମ୍ମୁଖରେ ରାସ୍ତା ଅବରୋଧ, ୩ ଦଫା ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର।

0 65

ରାଜଗାଙ୍ଗପୁରରେ ରାସ୍ତା ଦୁରବସ୍ଥାକୁ ନେଇ ବିଜେପିର ରାସ୍ତା ଅବରୋଧ
ରେଳ ଫାଟକରୁ ତହସିଲ ଓ କୋର୍ଟ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ସହ ୩ ଦଫା ଦାବି; ଦୁଇ ମାସ ମଧ୍ୟରେ କାମ ସାରିବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି

ରାଜଗାଙ୍ଗପୁର, ନଭେମ୍ବର ୨୩ (ସତ୍ୟାନ୍ୟୁଜ): ରାଜଗାଙ୍ଗପୁର ସହରରେ ରାସ୍ତାର ଶୋଚନୀୟ ଅବସ୍ଥା ଓ ନିର୍ମାଣ କାର୍ଯ୍ୟରେ ପ୍ରଶାସନିକ ଅବହେଳା ପ୍ରତିବାଦରେ ସୋମବାର ସକାଳେ ଟାଉନ୍ ବିଜେପି ପକ୍ଷରୁ ରେଳ ଷ୍ଟେସନ ସମ୍ମୁଖରେ ରାସ୍ତା ଅବରୋଧ କରାଯାଇଥିଲା।
ଟାଉନ୍ ବିଜେପି ସଭାପତି ରାଜେନ ସୋନିଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ରେଳ ଫାଟକରୁ ଗୋଶାଳା ରାସ୍ତା ଦେଇ ତହସିଲ ଓ କୋର୍ଟ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ସହ ତିନି ଦଫା ଦାବି ଉଠାଯାଇଥିଲା। ରାସ୍ତାର ବିପଜ୍ଜନକ ଅଂଶଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ମରାମତି ଏବଂ ଅମୃତ ଭାରତ ଷ୍ଟେସନ ଯୋଜନାରେ ପ୍ରସ୍ତାବିତ ରାସ୍ତା ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମଧ୍ୟ ଦାବି କରାଯାଇଥିଲା।
ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ଏସ୍‌ପି ଅମୃତପାଲ କୌର ଆନ୍ଦୋଳନସ୍ଥଳରେ ପହଞ୍ଚି ବିଜେପି କର୍ମୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ଦୁଇ ମାସ ମଧ୍ୟରେ ରାସ୍ତା କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଦଳ ପକ୍ଷରୁ ରାସ୍ତା ଅବରୋଧ ପ୍ରତ୍ୟାହାର କରାଯାଇଥିଲା।
ଆଲୋଚନା ସମୟରେ ବିଡିଓ ଅକ୍ଷୟ କୁମାର ବାଘ, ତହସିଲଦାର ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ, ଥାନା ଅଧିକାରୀ ବିଜୟ କିଶୋର ଦାସଙ୍କ ସମେତ ପୋଲିସ, ଆରପିଏଫ୍‌ ଓ ଜିଆରପିଏଫ୍‌ ଅଧିକାରୀ ଉପସ୍ଥିତ ଥିଲେ। ଅବରୋଧ ସମୟରେ କିଛି ସମୟ ପାଇଁ ଆନ୍ଦୋଳନକାରୀଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା।
ଅନ୍ୟପକ୍ଷରେ, ୱାର୍ଡ ନମ୍ବର ୨୦ର କାଉନସିଲର କୁନ୍ଦନ ସିଂହଙ୍କ ସମେତ ଅନ୍ୟ କାଉନସିଲରମାନେ ବିଦ୍ୟୁତ୍ ଖୁଣ୍ଟ ସ୍ଥାପନ ସମ୍ପର୍କିତ ସମସ୍ୟାକୁ ନେଇ ଟାଟା ପାୱାର ବିରୋଧରେ ଜିଲ୍ଲାପାଳଙ୍କୁ ଆଉ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.