ରାଉରକେଲା : ଘରୋଇ ବସରେ ଲାଗିଲା ନିଆଁ।। ବସରେ ଥିବା ୨୭ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ।। ସୁନ୍ଦରଗଡ଼ରୁ ରାଉରକେଲା ଆସୁଥିଲା “ଖୁଶବୂ” ବସ୍।
ରାଉରକେଲାରେ ଚଳନ୍ତା ଘରୋଇ ବସ୍ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୨୭ ଯାତ୍ରୀ
ରାଉରକେଲା, ନଭେମ୍ବର ୧୬ (ସତ୍ୟାନ୍ୟୂଜ): ରାଉରକେଲା ସହରର ହନୁମାନ ବାଟିକା ନିକଟ ଗଡ଼ିଆଟୋଲା ଛକରେ ଏକ ଘରୋଇ ବସ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହଠାତ୍ ବସ୍ରେ ନିଆଁ ଲାଗିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ତେବେ ବସ୍ରେ ଥିବା ସମସ୍ତ ୨୭ ଜଣ ଯାତ୍ରୀ ସୁରକ୍ଷିତ ଭାବେ ବାହାରି ଆସିଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି।
ସୂଚନା ଅନୁଯାୟୀ, ‘ଖୁଶବୁ’ ନାମକ ଏହି ଘରୋଇ ବସ୍ଟି ସୁନ୍ଦରଗଡ଼ରୁ ଯାତ୍ରୀଙ୍କୁ ନେଇ ରାଉରକେଲା ଆସୁଥିଲା। ଗଡ଼ିଆଟୋଲା ଛକ ନିକଟ ଟ୍ରାଫିକ୍ ସିଗନାଲ୍ ପାଖରେ ହଠାତ୍ ବସ୍ଟି ବନ୍ଦ ହୋଇଯାଇଥିଲା। ଏହାପରେ ଡ୍ରାଇଭର ଓ ହେଲ୍ପର ବସ୍କୁ ଠେଲି ଠେଲି ଟ୍ରାଫିକ୍ ସିଗନାଲ୍ ପାର୍ କରାଉଥିବା ସମୟରେ ଗାଡ଼ି ତଳୁ ଧୂଆଁ ବାହାରୁଥିବା ଦେଖିଥିଲେ।
କିଛି ସମୟ ମଧ୍ୟରେ ଧୂଆଁରୁ ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା। ଫଳରେ ଯାତ୍ରୀମାନେ ତୁରନ୍ତ ବସ୍ରୁ ଓହ୍ଲାଇ ଜୀବନ ବିକଳରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ।
ଖବର ପାଇ ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ବାହିନୀ ଟିମ୍ ଓ ପୋଲିସ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ।
ଏହି ଅଗ୍ନିକାଣ୍ଡରେ ସମସ୍ତ ୨୭ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ତେବେ ବସ୍ରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।