ସୁନ୍ଦରଗଡ଼ : ଗାଁ ଗାଁ ବୁଲୁଛି” ରାଜୁ” ହାତୀ।। ଦେଖିବାକୁ ଲୋକଙ୍କ ଭିଡ଼।। କାଇବାକୁ ଦେଉଛନ୍ତି କଦଳୀ , ନଡ଼ିଆ ଏବଂ ଫଳମୂଳ।
ସୁନ୍ଦରଗଡ଼ରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ‘ରାଜୁ’ ହାତୀ।
ଗାଁକୁ ଗାଁ ବୁଲି ଜିଣୁଛି ଲୋକଙ୍କ ହୃଦୟ। କଦଳୀ, ଆଖୁ ଓ ଫଳ ଖୁଆଇବାକୁ ଜମୁଛି ଲୋକଙ୍କ ଭିଡ଼।
ସୁନ୍ଦରଗଡ଼ : ୧୯/୧୧
(ସତ୍ୟାନ୍ୟୂଜ) ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ପରେ ଏବେ ସୁନ୍ଦରଗଡ଼ରେ ପହଞ୍ଚିଛି ଚର୍ଚ୍ଚିତ ହାତୀ ‘ରାଜୁ’। ଗାଁକୁ ଗାଁ ବୁଲୁଥିବା ଏହି ହାତୀକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।
ବୁଧବାର ସକାଳେ ରାଜୁ ହାତୀ ସିକିପାଣି ଓ ଧରୁଆଡିହି ଅଞ୍ଚଳରେ ପହଞ୍ଚିଥିଲା। ସୁନ୍ଦରଗଡ଼ ସଦର ରେଞ୍ଜର ସାଲେପାଲି ସେକ୍ସନ ଅନ୍ତର୍ଗତ ସିକିପାଣି, ଧରୁଆଡିହି, ଶୁଆମାଲ, ଲେଡିମଙ୍ଗ, ଅମସରଙ୍ଗା ଓ ଗଡ଼ିଆଯୋର ଗାଁରେ ତା’ର ଚଳପ୍ରଚଳ ଦେଖିବାକୁ ମିଳୁଛି।
ରାଜୁକୁ ଦେଖିବା ପାଇଁ ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିଡ଼ ଜମୁଛି। କେହି କଦଳୀ ଦେଉଛନ୍ତି ତ ଆଉ କେହି ଆଖୁ, ଫଳ, ପନିପରିବା ଓ ଧାନ ଖୁଆଉଛନ୍ତି।
ତେବେ ରାଜୁକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ସତର୍କ କରାଇଛି ବନ ବିଭାଗ। ହାତୀଟି ଶାନ୍ତ ଦେଖାଯାଉଥିଲେ ମଧ୍ୟ ଏହା ଏକ ବନ୍ୟ ହାତୀ। ତେଣୁ ତା’ର ନିକଟକୁ ଯିବା, ଖାଦ୍ୟ ଦେବା କିମ୍ବା ଫଟୋ ଓ ଭିଡିଓ କରିବା ପାଇଁ ଭିଡ଼ ଜମାଇବା ବିପଦଜନକ ହୋଇପାରେ।
ତେଣୁ ହାତୀଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବା ସହ ତା’ର ଗତିବିଧି ସମ୍ପର୍କରେ ବନ ବିଭାଗକୁ ଖବର ଦେବାକୁ ଅନୁରୋଧ କରାଯାଇଛି।
ରାଜୁ ପ୍ରତି ଭଲପାଇବା ରଖନ୍ତୁ, କିନ୍ତୁ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ। ବନ୍ୟଜନ୍ତୁଙ୍କ ସହ ସୁରକ୍ଷିତ ସହାବସ୍ଥାନ ହିଁ ସମସ୍ତଙ୍କ ପାଇଁ ଜରୁରୀ ବୋଲି ବନ ବିଭାଗ ପକ୍ଷରୁ କୁହା ଯାଇଛି।