ରାଉରକେଲା : ୩୧୦୦ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ।। ମହାନଗର ନିଗମ ସ୍ତରୀୟ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ରାଉରକେଲାରେ ଏକୀକୃତ ପେନ୍ସନ୍ ପୋର୍ଟାଲର ଶୁଭାରମ୍ଭ। ୩୧୦୦ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ।
ରାଉରକେଲା : ୧୪/୧୧
(ସତ୍ୟାନ୍ୟୂଜ) ଭତ୍ତା ପ୍ରଦାନ ବ୍ୟବସ୍ଥା ହେବ ଅଧିକ ସରଳ, ସ୍ୱଚ୍ଛ ଓ ପାରଦର୍ଶୀ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଭାରମ୍ଭ ହୋଇଛି ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ। ଏହି ଅବସରରେ ରାଉରକେଲା ମହାନଗର ନିଗମ ସ୍ତରୀୟ କାର୍ଯ୍ୟକ୍ରମରେ ୩୧୦୦ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି।
ରାଉରକେଲା ଛେଣ୍ଡସ୍ଥିତ ମଧୁସୂଦନ ମଣ୍ଡପରେ ଶନିବାର ଆୟୋଜିତ ହୋଇଥିଲା ଏହି ମହାନଗର ନିଗମ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ। ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ପୋର୍ଟାଲ ଆରମ୍ଭ କରାଯାଇଛି।
ଏହି ଅବସରରେ ୩୧୦୦ ଜଣ ଯୋଗ୍ୟ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦେଇ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ନୂତନ ପୋର୍ଟାଲ ଦ୍ୱାରା ଭତ୍ତା ପ୍ରଦାନ ପ୍ରକ୍ରିୟା ଅଧିକ ତ୍ୱରିତ ଓ ସରଳ ହେବା ସହ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଭତ୍ତାରୁ ବଞ୍ଚିତ ନହେବେ, ସେଥିପାଇଁ ସହାୟକ ହେବ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ମହାନଗର ନିଗମ କମିସନର ଦୀନା ଦସ୍ତଗୀର, ଯୁଗ୍ମ କମିଶନର ପଲ୍ଲବୀ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଲୋକପ୍ରତିନିଧି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।