ରାଉରକେଲା : ଦିବ୍ୟାଙ୍ଗ ଙ୍କୁ କୁତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରିବ ମାରୱାଡି ଯୁବା ମଞ୍ଚ।। ନଭେମ୍ବର ୨୭ ରୁ ୩ ଦିନିଆ ଶିବିର।

0 47

ରାଉରକେଲା : ୧୧/୧୧
(ସତ୍ୟାନ୍ୟୁଜ)
ଦିବ୍ୟାଙ୍ଗଙ୍କ ଜୀବନକୁ ଅଧିକ ସହଜ, ସ୍ୱାଭାବିକ ଓ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ରାଉରକେଲା ମାରୱାଡି ଯୁବା ମଞ୍ଚ ପକ୍ଷରୁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛ। ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ କୃତ୍ରିମ ଅଙ୍ଗ ଓ ବିଭିନ୍ନ ସହାୟକ ଉପକରଣ ଯୋଗାଇଦେବା ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ତ୍ରିଶକ୍ତି ଧାମଠାରେ ଏକ ତିନିଦିନିଆ ନିଃଶୁଳ୍କ ଶିବିର ଆୟୋଜନ କରାଯାଉଛି।
ଏହି ଶିବିରରେ ଆବଶ୍ୟକତା ଅନୁଯାୟୀ ଯୋଗ୍ୟ ହିତାଧିକାରୀମାନଙ୍କୁ କୃତ୍ରିମ ଅଙ୍ଗ ସହିତ ବିଭିନ୍ନ ପ୍ରକାରର ସହାୟକ ଉପକରଣ ନିଃଶୁଳ୍କ ଭାବେ ପ୍ରଦାନ କରାଯିବ। ଏହି ଉପକରଣଗୁଡ଼ିକ ଦିବ୍ୟାଙ୍ଗ ଜନଙ୍କ ଦୈନନ୍ଦିନ ଜୀବନରେ ଗତିଶୀଳତା ବଢ଼ାଇବା ସହିତ ସେମାନଙ୍କୁ ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜ କାର୍ଯ୍ୟ ନିଜେ କରିବାରେ ସହାୟକ ହେବ।
ଏହି ଶିବିରର ଆଉ ଏକ ବିଶେଷତ୍ୱ ହେଉଛି, ଶିବିରକୁ ଆସୁଥିବା ହିତାଧିକାରୀଙ୍କ ସହ ଆସୁଥିବା ଅଟେଣ୍ଡାଣ୍ଟଙ୍କ ପାଇଁ ନିଃଶୁଳ୍କ ରହିବା ଓ ଖାଇବା ବ୍ୟବସ୍ଥା ରହିବ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଦିବ୍ୟାଙ୍ଗ ବ୍ୟକ୍ତି ଓ ସେମାନଙ୍କ ସହାୟକ ମାନଙ୍କୁ ରହିବା କିମ୍ବା ଖାଦ୍ୟପେୟ ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଏଭଳି ଶିବିର କେବଳ ସହାୟକ ଉପକରଣ ବଣ୍ଟନରେ ସୀମିତ ନୁହେଁ, ବରଂ ଦିବ୍ୟାଙ୍ଗଜନଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିବା, ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସମ୍ମାନର ସହ ଜୀବନଯାପନ କରିବାର ସୁଯୋଗ ଦେବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ।
ତେଣୁ ଆବଶ୍ୟକତା ଥିବା ଦିବ୍ୟାଙ୍ଗ ଜନମାନେ ଏହି ନିଃଶୁଳ୍କ ଶିବିରର ସୁଯୋଗ ନେଇ ନିଜ ଜୀବନକୁ ଅଧିକ ସହଜ ଓ ସ୍ୱାବଲମ୍ବୀ କରିବାକୁ ଆଗେଇ ଆସିବା ଉଚିତ ବୋଲି ମାରୱାଡି ଯୁବା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି।

Leave A Reply

Your email address will not be published.