ଡେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ବାଘ। ବନବିଭାଗ ସଜାଗ।
ବରଗଡ଼ : ୧୦/୧୧
(ସତ୍ୟାନ୍ୟୁଜ) ଓଡ଼ିଶାର ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ଦେଖିବାକୁ ମିଳିଛି ମହାବଳ ବାଘ। ବରଗଡ଼ ଜିଲ୍ଲାର ଏହି ଅଭୟାରଣ୍ୟରେ ଲଗାଯାଇଥିବା କ୍ୟାମେରା ଟ୍ରାପ୍ରେ କଏଦ ହୋଇଛି ବାଘର ଫଟୋ। ଏହା ସହିତ ବନ ବିଭାଗର କର୍ମଚାରୀମାନେ ମଧ୍ୟ ପାଟ୍ରୋଲିଂ ସମୟରେ ବାଘକୁ ଦେଖିଥିବା ସୂଚନା ମିଳିଛି। ଗତ ଚାରି ବର୍ଷ ମଧ୍ୟରେ ଡେବ୍ରିଗଡ଼ରେ ଏହା ଦ୍ୱିତୀୟ ବାଘ ଦେଖାଯିବା ଘଟଣା।
ପ୍ରାଥମିକ ସୂଚନା ଅନୁସାରେ, ଏହି ମହାବଳ ବାଘଟି ଦେଚୁଆନ-ଲଖନପୁର ଜଙ୍ଗଲ କରିଡର ଦେଇ ଦେବ୍ରିଗଡ଼ ଅଭୟାରଣ୍ୟକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି।
ଅଭୟାରଣ୍ୟ ଭିତରେ ଲଗାଯାଇଥିବା ରିମୋଟ୍ ବେଟେଡ୍ କ୍ୟାମେରା ବା ଆରବିଟି କ୍ୟାମେରାରେ ବାଘର ଫଟୋ କଏଦ ହୋଇଛି।
ତେବେ ବାଘଟିର ବୟସ, ପରିଚୟ ଏବଂ ଏହା କେଉଁ ଅଞ୍ଚଳରୁ ଆସିଛି, ସେନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଏହାର ସଠିକ୍ ପରିଚୟ ଜାଣିବା ପାଇଁ କ୍ୟାମେରା ଟ୍ରାପ୍ରେ କଏଦ ହୋଇଥିବା ଫଟୋକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଏବଂ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଆଇଆଇ)ର ବିଶେଷଜ୍ଞଙ୍କ ନିକଟକୁ ପଠାଯିବ।
ବିଶେଷଜ୍ଞଙ୍କ ବୈଜ୍ଞାନିକ ଯାଞ୍ଚ ପରେ ବାଘଟିର ପରିଚୟ ଓ ଏହାର ଗତିବିଧି ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ। ଏହା ଏକ ଅସ୍ଥାୟୀ ଅତିଥି ନା
ଡେବ୍ରିଗଡ଼ ଜଙ୍ଗଲକୁ ନିଜର ବାସସ୍ଥାନ କରିଛି, ତାହା ମଧ୍ୟ ସ୍ପଷ୍ଟ ହେବ।
ଡେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘର ଉପସ୍ଥିତି ଜଣାପଡ଼ିବା ପରେ ଏହି ଅଞ୍ଚଳର ଜୈବ ବିବିଧତା ଏବଂ ବନ୍ୟଜନ୍ତୁଙ୍କ ଅବାଧ ଚଳପ୍ରଚଳ ପାଇଁ ଜଙ୍ଗଲ କରିଡରର ଗୁରୁତ୍ୱ ପୁଣି ଚର୍ଚ୍ଚାକୁ ଆସିଛି।