ରାଉରକେଲା : ୯/୧୧
(ସତ୍ୟାନ୍ୟୁଜ) ଦୀପାବଳି ରେ ରାଉରକେଲା ସହରରେ କେତେକ ସ୍ଥାନରେ ଅଘଟଣ ଘଟି ଧନ ସମ୍ପତ୍ତି ନଷ୍ଟ ହେବା ସହ ଜଣେ ୧୪ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି। ଅସାବଧାନତା ଯୋଗୁଁ ଏପ୍ରକାର ଦୁର୍ଘଟଣା ଘଟିଥିବା କୁହା ଯାଉଛି।
ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଛକରେ ଏକ ଦୋକାନରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ଅଗ୍ନିକାଣ୍ଡ ବେଳେ ଦୋକାନ ଭିତରେ ଥିବା ଦୁଇଟି ଗ୍ୟାସ ସିଲଣ୍ଡର ବିସ୍ପୋରଣ ହେବାରୁ ନିଆଁ ବ୍ୟାପି ଯାଇଥିଲା। ୩ ଟି ଦମକଳ ୫ ଘଣ୍ଟା ପରିଶ୍ରମ କରି ନିଆଁ କୁ ଆୟତ୍ତ କରିଥିଲେ। ତେବେ କେଉଁ ପରିପ୍ରେକ୍ଷୀରେ ଦୋକାନରେ ନିଆଁ ଲାଗିଲା ଏବଂ ଗ୍ୟାସ ସିଲଣ୍ଡର କାହିଁକି ରହିଥିଲା ତାର ତଦନ୍ତ ପୋଲିସ୍ କରୁଛି ।
ଅନ୍ୟ ଏକ ଘଟଣାରେ ମଙ୍ଗଳ ଭବନ ନିକଟରେ ଏକ କପଡ଼ା ଦୋକାନରେ ନିଆଁ ଲାଗି ଯିବାରୁ ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇ ଯାଇଛି। ଗଣପତି ଷ୍ଟୋର ନାମକ ଏହି ରେଡିମେଡ୍ କପଡ଼ା ଦୋକାନରେ ନିଆଁ ଲାଗିବା କାରଣ ଜଣା ପଡି ନଥିବା ବେଳେ ଏହାର ତଦନ୍ତ ଜାରି ରହିଛି। ସହରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ନିଆଁ ଲାଗିଥିବା ରିପୋର୍ଟ ଆସୁଛି।