ସୁନ୍ଦରଗଡ଼ : ୟୁନିଅନ କାର୍ଯ୍ୟାଳୟ ଜାଳି ଦେଲେ ଲୋକେ। ଦର୍ଲିପାଲି ଗୁଳିକାଣ୍ଡ ରେ ଯୁବକଙ୍କ ମୃତ୍ୟୁ କୁ ନେଇ ଲାଗି ରହିଛି ଉତ୍ତେଜନା।
ଦର୍ଲିପାଲି ଗୁଳିକାଣ୍ଡ ପରେ ତେଜିଲା ଉତ୍ତେଜନା, ଜାଳିଦେଲେ UFTOA ୟୁନିଅନ କାର୍ଯ୍ୟାଳୟ।
ସୁନ୍ଦରଗଡ଼ : ୬/୧୧
(ସତ୍ୟାନ୍ୟୁଜ) ଦର୍ଲିପାଲି ଗୁଳିକାଣ୍ଡ ଘଟଣାକୁ ନେଇ ଥମୁନି ଉତ୍ତେଜନା। ଜଣେ ଯୁବକଙ୍କ ମୃତ୍ୟୁ ପରେ ଅଶାନ୍ତ ହୋଇପଡ଼ିଛି ପୂରା ଅଞ୍ଚଳ। ପାଉଁଶ ପରିବହନକୁ କେନ୍ଦ୍ରକରି ଦୁଇଟି ୟୁନିଅନ ମଧ୍ୟରେ ବିବାଦରୁ ଗତକାଲି ଘଟିଥିଲା ଗୁଳିକାଣ୍ଡ। ଏହି ଗୁଳିମାଡ଼ରେ ସୁନୀଲ ନେଟି ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା।
ତେବେ ଏହି ଘଟଣାକୁ ନେଇ ଆଜି ପୁଣି ଉତ୍ତେଜନା ତୀବ୍ର ରୂପ ନେଇଛି। ଉତ୍ତ୍ୟକ୍ତ ଲୋକେ UFTOA ୟୁନିଅନ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଦେଖୁ ଦେଖୁ ହୁତୁହୁତୁ ହୋଇ ଜଳିଉଠିଥିଲା ପୂରା କାର୍ଯ୍ୟାଳୟ। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଅଗ୍ନିଶମ ଗାଡ଼ିକୁ ଫେରାଇ ଦେଇଥିବା ଜଣାପଡ଼ିଛି।
ଏହାକୁ ନେଇ ଦର୍ଲିପାଲି ଅଞ୍ଚଳରେ ଲାଗି ରହିଛି ପ୍ରବଳ ଉତ୍ତେଜନା। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଅନ୍ୟପଟେ, ଘଟଣାକୁ ନେଇ ପୋଲିସ ୧୧ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ମୃତକ ସୁନୀଲ ନେଟିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଏଵଂ ହତ୍ୟା ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିରଫ ଦାବିରେ ଲୋକେ ବିକ୍ଷୋଭ ଜାରି ରଖିଛନ୍ତି।
ଗୁଳିକାଣ୍ଡ ପରେ ୟୁନିଅନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଏବଂ ଲଗାତାର ବଢ଼ୁଥିବା ଉତ୍ତେଜନାକୁ ନେଇ ଏବେ ଦର୍ଲିପାଲିରେ ପରିସ୍ଥିତି ସମ୍ବେଦନଶୀଳ ହୋଇପଡ଼ିଛି।