ବଣାଇ : ଗାଁ କୁ ଆସୁନାହିଁ ପାଣି।। ପଞ୍ଚାୟତ ଅଫିସ ରେ ତାଲା ମାରିଲେ ମହିଳା।

0 39

ଦୁଇ ବର୍ଷ ହେଲା ଗାଁରେ ପାଣି ଟାଙ୍କି, ହେଲେ ମିଳୁନି ପାଣି
ପାଣି ପାଇଁ ପଞ୍ଚାୟତ ଅଫିସରେ ତାଲା ପକାଇଲେ ମହିଳା, ଭିତରେ ଫସିଲେ ସରପଞ୍ଚ
ବଣାଇ, ନଭେମ୍ବର ୫ (ସତ୍ୟାନ୍ୟୁଜ): ଗାଁରେ ରହିଛି ପାଣି ଟାଙ୍କି। ହେଲେ ଘରକୁ ଆସୁନି ପାଣି। ଦୀର୍ଘ ଦୁଇ ବର୍ଷ ଧରି ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଛନ୍ତି ଗ୍ରାମବାସୀ। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ନହେବାରୁ ଶେଷରେ ତାତିଲେ ମହିଳା। ଗରା, ବାଲଟି ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ କଲେ ପ୍ରତିବାଦ। ଏପରିକି କାର୍ଯ୍ୟାଳୟ ଭିତରେ ଫସି ରହିଲେ ସରପଞ୍ଚ।
ଏଭଳି ଅସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଛି ବଣାଇ ବ୍ଲକର କସଡ଼ା ଗ୍ରାମରେ। ସରକାରଙ୍କ ବସୁଧା ଯୋଜନାରେ ଗାଁରେ ପ୍ରାୟ ଦୁଇ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ହୋଇ ରହିଛି। ହେଲେ ଏଯାଏଁ ଗ୍ରାମବାସୀଙ୍କ ଘରକୁ ପାଣି ପହଞ୍ଚି ପାରୁନାହିଁ। ଫଳରେ ଦୈନନ୍ଦିନ ଜଳ ସଂଗ୍ରହ ପାଇଁ ଗ୍ରାମବାସୀଙ୍କୁ ନାନା ହଇରାଣ ହେବାକୁ ପଡ଼ୁଛି।
ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ସରପଞ୍ଚଙ୍କୁ ବାରମ୍ବାର ଅବଗତ କରାଇଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ଗ୍ରାମର ମହିଳାମାନେ ଏକଜୁଟ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ହାତରେ ଗରା ଓ ବାଲଟି ଧରି ପାନୀୟ ଜଳ ଯୋଗାଣ ଦାବିରେ ନାରାବାଜି କରିଥିଲେ। ତାଲା ପଡ଼ିବା ପରେ ସରପଞ୍ଚ କାର୍ଯ୍ୟାଳୟ ଭିତରେ ଅଟକି ରହିଥିଲେ।

Leave A Reply

Your email address will not be published.