ସୁନ୍ଦରଗଡ଼ : ବ୍ୟାଙ୍କ୍ ଡକାୟତି ଘଟଣାରେ ୪ ଗିରଫ।। ପିସ୍ତଲ୍ ଜବତ୍।। ଦ୍ୱିତୀୟ ଥର ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ବେଳେ ଧରା ପଡ଼ିଲେ।

0 39

ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ, ୩ ଗିରଫ, ଜଣେ ନାବାଳକ ଅଟକ

  • ଡକାୟତିରେ ବ୍ୟବହୃତ ଦେଶୀ ପିସ୍ତଲ ଜବତ, ଦ୍ୱିତୀୟ ଥର ବ୍ୟାଙ୍କ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
    ସୁନ୍ଦରଗଡ଼, ନଭେମ୍ବର ୪ (ସତ୍ୟାନ୍ୟୁଜଆଲର୍ଟ): ସୁନ୍ଦରଗଡ଼ ଜିଲ୍ଲା କାନ୍ଦାବାହାଲସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଜଣେ ନାବାଳକକୁ ଅଟକ ରଖାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଡକାୟତିରେ ବ୍ୟବହୃତ ଏକ ଦେଶୀ ପିସ୍ତଲ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
    ଗତ ସେପ୍ଟେମ୍ବର ୭ ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ କାନ୍ଦାବାହାଲ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲା। ଜୀବନରେ ମାରିଦେବାକୁ ଧମକ ଦେଇ ବ୍ୟାଙ୍କରୁ ୨ ଲକ୍ଷ ୮୨ ହଜାର ୫୭୦ ଟଙ୍କା ଲୁଟ୍ କରି ପଛପଟ ଦେଇ ଫେରାର ହୋଇଯାଇଥିଲା।
    ଏନେଇ ତତ୍କାଳୀନ ବ୍ୟାଙ୍କ ଶାଖା ପରିଚାଳକ ରଜତ କୁମାର ଦାଶଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ କେସ୍ ନମ୍ବର ୪୬୭/୨୦୨୬ ରୁଜୁ ହୋଇଥିଲା। ପୋଲିସ ସିସିଟିଭି ଫୁଟେଜ୍ ଓ ବୈଷୟିକ ତଥ୍ୟ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ସୁନ୍ଦରଗଡ଼ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା।
    ତେବେ ନଭେମ୍ବର ୩ ତାରିଖ ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ସେହି ବ୍ୟାଙ୍କରେ ପୁଣି ଥରେ ଡକାୟତି ଉଦ୍ୟମ ହୋଇଥିଲା। ଜଣେ ଦୁର୍ବୃତ୍ତ ବ୍ୟାଙ୍କର ପଛପଟ ଝରକାର କାଚ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିଲା। ସେହି ସମୟରେ ବ୍ୟାଙ୍କ କର୍ମଚାରୀମାନେ ଭିତରେ ଟଙ୍କା ଗଣୁଥିବା ବେଳେ ଅଭିଯୁକ୍ତ ପିସ୍ତଲ ଦେଖାଇ କବାଟ ଖୋଲିବାକୁ ଧମକ ଦେଇଥିଲା।
    ବ୍ୟାଙ୍କ ଶାଖା ପରିଚାଳିକା ସ୍ମୃତିପ୍ରଭା ମହାରଣା ତୁରନ୍ତ ସଦର ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ଟାଉନ୍, ସଦର ଓ ଭସ୍ମା ଥାନାର ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚାରିପଟୁ ଘେରାଉ କରିଥିଲେ। ଫଳରେ ଦ୍ୱିତୀୟ ଥର ଡକାୟତି ଉଦ୍ୟମ କରିଥିବା ମୁଖ୍ୟ ଅଭିଯୁକ୍ତକୁ ମାତ୍ର ଏକ ଘଣ୍ଟା ମଧ୍ୟରେ କାବୁ କରିବାରେ ସଫଳ ହୋଇଥିଲା ପୋଲିସ।
    ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିଥିଲା ଯେ, ଧରାପଡ଼ିଥିବା ଅଭିଯୁକ୍ତ ଗୌରବ ମାଝୀ ହିଁ ସେପ୍ଟେମ୍ବର ମାସରେ ହୋଇଥିବା ବ୍ୟାଙ୍କ ଡକାୟତିର ମୁଖ୍ୟ ଅଭିଯୁକ୍ତ।
    ପୋଲିସର ସୂଚନା ଅନୁସାରେ, ଗୌରବ କିଛି ମାସ ପୂର୍ବରୁ ଜଣେ ବନ୍ଧୁଙ୍କଠାରୁ ଏକ କ୍ୟାମେରା ଧାରରେ ନେଇଥିଲା। ପରେ ଏହାକୁ ଅନ୍ୟ ଜଣଙ୍କୁ ଭଡ଼ାରେ ଦେଇଥିଲେ ମଧ୍ୟ ସେହି ବ୍ୟକ୍ତି କ୍ୟାମେରା ଫେରାଇ ନଥିଲେ ଏବଂ ଅଞ୍ଚଳ ଛାଡ଼ି ଫେରାର ହୋଇଯାଇଥିଲେ। କ୍ୟାମେରାର ୫୦ ହଜାର ଟଙ୍କା ଦେବାକୁ ଅସମର୍ଥ ହୋଇ ଗୌରବ ବ୍ୟାଙ୍କ ଲୁଟ୍ ଯୋଜନା କରିଥିଲା।
    ଏହି ଯୋଜନା ସମ୍ପର୍କରେ ସେ ନିଜର ସାଙ୍ଗ ଆକାଶ କିଷାନ ଓ ରବି କିଷାନଙ୍କୁ ଜଣାଇଥିଲା। ଉଭୟ ସାଙ୍ଗ ଡକାୟତି ପାଇଁ ଏକ ଦେଶୀ ପିସ୍ତଲ ଯୋଗାଡ଼ କରିଥିବା ପୋଲିସ କହିଛି। ଏହାପରେ ଗୌରବ ସେପ୍ଟେମ୍ବର ୭ ତାରିଖରେ ବ୍ୟାଙ୍କରୁ ଟଙ୍କା ଲୁଟ୍ କରିଥିଲା ଏବଂ ଲୁଟ୍ ଟଙ୍କାର କିଛି ଅଂଶ ନିଜ ସହଯୋଗୀଙ୍କୁ ଦେଇଥିଲା।
    ମୁଖ୍ୟ ଅଭିଯୁକ୍ତ ଗୌରବ ମାଝୀ ଭେଡ଼ାବାହାଲ କଲେଜରେ ଯୁକ୍ତ ତିନି ପଢ଼ୁଥିବା ଜଣେ ଛାତ୍ର। ସେ କାନ୍ଦାବାହାଲର ଏକ ଘରୋଇ ହଷ୍ଟେଲରେ ରହୁଥିଲା। ବ୍ୟାଙ୍କଟି ତାଙ୍କ ରହଣି ସ୍ଥାନ ନିକଟରେ ଥିବାରୁ ସେ ଏହାକୁ ଲୁଟ୍ ପାଇଁ ଟାର୍ଗେଟ୍ କରିଥିବା ତଦନ୍ତରୁ ଜଣାପଡ଼ିଛି।
    ଗିରଫ ଅଭିଯୁକ୍ତମାନେ ହେଲେ: ୧. ଗୌରବ ମାଝୀ (୨୧), ଭୁର୍ସିଡାଣ୍ଡା ଗ୍ରାମ, ଲେଫ୍ରିପଡ଼ା ଥାନା ଅଞ୍ଚଳ। ୨. ଆକାଶ କିଷାନ (୨୨), ବୋମାଲୋଇ, କପିଳାସପଡ଼ା, ରେଙ୍ଗାଲି ଥାନା ଅଞ୍ଚଳ, ସମ୍ବଲପୁର। ୩. ରବି କିଷାନ (୨୧), ବୋମାଲୋଇ, କପିଳାସପଡ଼ା, ରେଙ୍ଗାଲି ଥାନା ଅଞ୍ଚଳ, ସମ୍ବଲପୁର।
    ଏହାସହ ଜଣେ ଆଇନ ସହ ସଂଘର୍ଷରତ ନାବାଳକକୁ ମଧ୍ୟ ଅଟକ ରଖାଯାଇଛି।
    ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ସିଙ୍ଗଲ୍ ସଟ୍ ପିସ୍ତଲ, ଗୋଟିଏ କଳା ରଙ୍ଗର ଗଞ୍ଜି, ଗୋଟିଏ ପୂର୍ଣ୍ଣ ପ୍ୟାଣ୍ଟ, ଗୋଟିଏ ମୁଖା ଏବଂ ଗୋଟିଏ ହଳ ଜୋତା ଜବତ କରିଛି।
    ତେବେ ଲୁଟ୍ ହୋଇଥିବା ଅବଶିଷ୍ଟ ଟଙ୍କା ଉଦ୍ଧାର କରିବା ସହ ବେଆଇନ ପିସ୍ତଲ କେଉଁଠାରୁ ଆସିଥିଲା, ସେନେଇ ପୋଲିସର ତଦନ୍ତ ଜାରି ରହିଛି।
    ଗୋଟିଏ ବ୍ୟାଙ୍କକୁ ଦୁଇ ମାସ ମଧ୍ୟରେ ଦୁଇଥର ଟାର୍ଗେଟ୍ କରିବା ଏବଂ ଦ୍ୱିତୀୟ ଉଦ୍ୟମ ବେଳେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Leave A Reply

Your email address will not be published.