କୋରାପୁଟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ସହ ମିଶ୍ରଣ ପର୍ବ, ଦଳରେ ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ
ପେଟୁର ସରପଞ୍ଚ ମମିତା ବାଙ୍କାଙ୍କ ନେତୃତ୍ୱରେ କଂଗ୍ରେସ ଛାଡ଼ିଲେ କର୍ମୀ, ବିଧାୟକ ଓ ସାଂସଦଙ୍କ କାର୍ଯ୍ୟକୁ ନେଇ ବର୍ଷିଲେ ବିଜେଡି ନେତା।
କୋରାପୁଟ: ୩୧/୧୦
(ସତ୍ୟାନ୍ୟୁଜ) କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁର ଗ୍ରାମପଞ୍ଚାୟତର କାନ୍ଦେଲି ହାଟପଦାଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପେଟୁର ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ମମିତା ବାଙ୍କାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି।
କଂଗ୍ରେସ ଦଳର କାର୍ଯ୍ୟଶୈଳୀ ଓ ନେତୃତ୍ୱ ଉପରେ ଅସନ୍ତୋଷ ପ୍ରକାଶ କରି ମମିତା ବାଙ୍କା ବିଜେଡିରେ ଯୋଗଦେଇଥିବା କହିଛନ୍ତି। ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କଂଗ୍ରେସରେ ରହି ସେ ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସଫଳ ହୋଇପାରିନଥିବା ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ସ୍ୱାମୀ ସାମୁଏଲ ବାଙ୍କା ମଧ୍ୟ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କ ପାଖକୁ ବାରମ୍ବାର ଦୌଡ଼ି ନିରାଶ ହୋଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।
ଏହି ସଭାରେ ବିଜେଡି ଜିଲ୍ଲା ସଭାପତି ଝିନ ହିକକା ଓ କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲ ରାଜ୍ୟର ବିଜେପି ସରକାର ସମେତ କୋରାପୁଟ ସାଂସଦ ଓ ପଟ୍ଟାଙ୍ଗି ବିଧାୟକଙ୍କ କାର୍ଯ୍ୟକଳାପକୁ ନେଇ ତୀବ୍ର ସମାଲୋଚନା କରିଥିଲେ। ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମାଧାନ ପ୍ରସଙ୍ଗରେ ସେମାନେ ନିଜ ନିଜର ମତ ରଖିଥିଲେ।
କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଝିନ ହିକକା, ପୂର୍ବତନ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି, ପୂର୍ବତନ କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପୋଡ଼ାଲ, ବିଜେଡି ଜିଲ୍ଲା ଛାତ୍ର ନେତା ଫିରୋଜ ପୋଡ଼ାଲ, ପୂର୍ବତନ ପଟ୍ଟାଙ୍ଗି ବିଧାୟକ ପୀତମ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି ଓ ପଟ୍ଟାଙ୍ଗି ବିଜେଡି ସଭାପତି ଜୟସିଂ ପୋଡ଼ାସେଠୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ଏହି ମିଶ୍ରଣ ପର୍ବ ମାଧ୍ୟମରେ ପଟ୍ଟାଙ୍ଗି ଅଞ୍ଚଳରେ ବିଜେଡି ନିଜର ସାଂଗଠନିକ ଶକ୍ତି ବୃଦ୍ଧିର ବାର୍ତ୍ତା ଦେଇଛି।