ରାଉରକେଲାରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ, ଏସ୍ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ସଚେତନତା ରାଲି
ରାଉରକେଲା : ୩୧/୧୦(ସତ୍ୟାନ୍ୟୁଜ)ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି ଓ ସମାଜରେ ସ୍ୱଚ୍ଛତା, ସଚ୍ଚୋଟତା ଏବଂ ନୈତିକତାର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ରାଉରକେଲାରେ ପାଳନ କରାଯାଇଛି ଭିଜିଲାନ୍ସ ସଚେତନତା ସପ୍ତାହ। ଏହି ଅବସରରେ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା।
ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟରୁ ଏହି ରାଲିର ଶୁଭାରମ୍ଭ ହୋଇଥିଲା। ରାଉରକେଲା ଭିଜିଲାନ୍ସ ଏସ୍ପି ହରେକୃଷ୍ଣ ମାଝୀ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଏଥିରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇ ଦୁର୍ନୀତି ବିରୋଧରେ ଜନସାଧାରଣଙ୍କୁ ସଚେତନ କରିଥିଲେ।
ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ସହିତ ସରକାରୀ କର୍ମଚାରୀମାନେ ନିଜ କର୍ତ୍ତବ୍ୟକୁ ସଚ୍ଚୋଟତାର ସହ ନିର୍ବାହ କରିବା ଏବଂ ଦୁର୍ନୀତିମୁକ୍ତ ସେବା ଯୋଗାଇବା ଉପରେ ଏହି ରାଲିରେ ଗୁରୁତ୍ୱାରୋପ କରାଯାଇଥିଲା।
ଦୁର୍ନୀତି ରୋକିବା କେବଳ ଭିଜିଲାନ୍ସ ବିଭାଗ କିମ୍ବା ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ନୁହେଁ, ବରଂ ଏଥିପାଇଁ ସମାଜର ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ। ସଚ୍ଚୋଟତା, ନୈତିକତା ଓ ଉତ୍ତରଦାୟିତ୍ୱକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆପଣାଇବା ପାଇଁ ଏହି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
ଏକ ସ୍ୱଚ୍ଛ, ସୁସ୍ଥ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଜରୁରୀ ବୋଲି ଏହି ସଚେତନତା କାର୍ଯ୍ୟକ୍ରମରେ ବାର୍ତ୍ତା ପ୍ରଦାନ କରାଯାଇଥିଲା।