ରାଉରକେଲା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ଏକତା ଦୌଡ଼ରେ ସାମିଲ ହେଲେ ବିଧାୟକ, ପୋଲିସ ଅଧିକାରୀ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ
ରାଉରକେଲା, ଅକ୍ଟୋବର ୩୧ (ସତ୍ୟାନ୍ୟୁଜ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ସାରା ଦେଶରେ ପାଳନ କରାଯାଉଛି ରାଷ୍ଟ୍ରୀୟ ଏକତା ଦିବସ। ଏହି ଅବସରରେ ରାଉରକେଲା ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସହ ଏକତା ଦିବସ ପାଳନ କରାଯାଇଛି।
ଏହି ଉପଲକ୍ଷେ ଶନିବାର ସକାଳେ ଦେଶର ଏକତା ଓ ଅଖଣ୍ଡତାର ବାର୍ତ୍ତା ପ୍ରଚାର ପାଇଁ ଏକ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ରାଉରକେଲା ଏସପି ନୀତେଶ ୱାଧୱାନି ପତାକା ହଲାଇ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଗଣଦୌଡ଼ରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ଏବଂ ବହୁ ସଂଖ୍ୟାରେ ସାଧାରଣ ନାଗରିକ ସାମିଲ ହୋଇଥିଲେ।
ରାଉରକେଲା ଏସପିଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ରିଜର୍ଭ ପୋଲିସ ଲାଇନ୍ରେ ଶେଷ ହୋଇଥିଲା।
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଖଣ୍ଡ ଭାରତ ଗଠନର ସ୍ୱପ୍ନ ଓ ତାଙ୍କର ଅବଦାନକୁ ସ୍ମରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ସମସ୍ତଙ୍କୁ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।